କ୍ୟାନ୍ସର ରୋଗୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିର ଖବର।ଆୟୁଷମାନ୍ କାର୍ଡରେ ସ୍ୱତନ୍ତ୍ର ସୁବିଧା ପାଇବାକୁ ଯାଉଛନ୍ତି କ୍ୟାନ୍ସର ରୋଗୀ।ରାଜ୍ୟ ସରକାର କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଲଭ ଏବଂ ସହଜ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି।କ୍ୟାନ୍ସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା ଏବଂ ଆୟୁଷମାନ୍ କାର୍ଡରେ ଯୋଡ଼ି ହେବ ନୂଆ ୧୨୧ଟି ପ୍ୟାକେଜ।

ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଙ୍ଗ। ତାଙ୍କ କହିବାନୁସାରେ, ଆୟୁଷ୍ମାନ୍ ଭାରତ ଯୋଜନାରେ ଦେଶବ୍ୟାପୀ ୧୯୦୦ରୁ ଅଧିକ ପ୍ରକାର ଚିକିତ୍ସା ସୁବିଧା ଥିବାବେଳେ ଓଡ଼ିଶାରେ ଏହାର ସଂଖ୍ୟା ୨୧୦୦ରୁ ଅଧିକ ରହିଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ,ଚଳିତ ବଜେଟରେ କ୍ୟାନ୍ସର ଆରୋଗ୍ୟ ଯୋଜନାରେ ଯେଉଁ ସୁବିଧାଗୁଡ଼ିକ ସାମିଲ ହୋଇନଥିଲା,ସେଥିରୁ ୧୨୧ଟି ପ୍ୟାକେଜକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯିବ। ଫଳରେ କ୍ୟାନ୍ସର ରୋଗୀମାନେ ଅଧିକ ଚିକିତ୍ସା ସୁବିଧା ଓ ଆର୍ଥିକ ସହାୟତା ପାଇପାରିବେ। ଆଗାମୀ ଦିନରେ ଏହି ପଦକ୍ଷେପ କ୍ୟାନ୍ସର ରୋଗୀ ଓ ସେମାନଙ୍କ ପରିବାର ପାଇଁ ବଡ଼ ସହାୟକ ହେବ | ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରତି ସରକାର ସଂକଳ୍ପ ବଦ୍ଧ।