ସୁନାବେଡାରେ “ଅରୂପା” ହସ୍ତଶିଳ୍ପ ମେଳା–୨୦୨୬ ଆରମ୍ଭ, ୧୦୦ରୁ ଅଧିକ ଷ୍ଟଲ ସହ ଉତ୍ସବମୟ ପରିବେଶ

କୋରାପୁଟ ଜିଲ୍ଲା ସୁନାବେଡା-୩ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଡିଆ ଅଞ୍ଚଳ ଏବେ ଉତ୍ସବମୟ ମାହୋଲରେ ଝଲମଲ କରୁଛି। ଏଠାରେ “ଅରୂପା” ପକ୍ଷରୁ ଆୟୋଜିତ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ–୨୦୨୬ ର ଶୁଭ ଖୁଣ୍ଟି ଶୁକ୍ରବାର ସନ୍ଧ୍ୟାରେ ସ୍ଥାପନ ହୋଇଛି। ଦେଢ ବର୍ଷ ପରେ ପୁନର୍ବାର ସୁନାବେଡାରେ “ଅରୂପା” ଫେରିଆସିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଛି।

ଏହି ପ୍ରଦର୍ଶନୀ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି “ଅରୂପା”ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୋକ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ MSME ବିଭାଗର ସହଯୋଗରେ ଏହି ବିଶାଳ ବାଣିଜ୍ୟ ମେଳା ଆୟୋଜିତ ହେଉଛି।ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର ଏବଂ ହସ୍ତଶିଳ୍ପୀମାନଙ୍କର ନିଖୁଣ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ବିଶେଷ କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ କୋଟପାଡ଼ ଶାଢ଼ୀ ଏବଂ ଗୌଡଗୁଡ଼ାର ଟେରା କୋଟା ଶିଳ୍ପକୁ ଏହି ପ୍ରଦର୍ଶନୀରେ ଅଧିକ ଭାବେ ସମ୍ମିଳିତ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ଏହା ସ୍ଥାନୀୟ ଶିଳ୍ପକୁ ନୂତନ ପରିଚୟ ଦେବ ବୋଲି ଆଶା ବ୍ୟକ୍ତ କରାଯାଇଛି।

ପ୍ରଦର୍ଶନୀ ଆୟୋଜନ ମାଧ୍ୟମରେ ହସ୍ତଶିଳ୍ପୀ ଏବଂ ବୁଣାକାରମାନେ ନୂତନ ଉତ୍ସାହ ପାଇବେ ଏବଂ ତାଙ୍କର ଉତ୍ପାଦନକୁ ବିସ୍ତୃତ ବଜାର ମିଳିବ ବୋଲି ମତ ପ୍ରକାଶ ପାଇଛି। ସ୍ଥାନୀୟ ଜନସାଧାରଣ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳର ହାତ ତିଆରି ଘର ସଜାଣା ସାମଗ୍ରୀ, ଦୈନିକ ବ୍ୟବହାରୀ ଜିନିଷ ଆଦି ଦେଖିବା ଓ କ୍ରୟ କରିବାର ସୁଯୋଗ ପାଇବେ।ଏହି ମେଳାରେ ମୋଟ ପ୍ରାୟ ୧୦୦ ରୁ ଅଧିକ ଷ୍ଟଲ ରହିଛି। ଏଥିରେ ହସ୍ତଶିଳ୍ପ, ଖାଦ୍ୟ, ସାଂସ୍କୃତିକ ପ୍ରଦର୍ଶନୀ ଓ ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟବସ୍ଥା ରହିଛି।

“ଅରୂପା” ପକ୍ଷରୁ ପ୍ରତ୍ୟେକ ଦିନ ଖାଦ୍ୟ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ସ୍କୁଲ, କଲେଜ ଓ ମହିଳାମାନଙ୍କ ପାଇଁ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ବକ୍ତୃତା, ପିଠା ପ୍ରତିଯୋଗିତା, ଫ୍ୟାସନ୍ ଶୋ ଏବଂ ମେହେନ୍ଦୀ ପ୍ରତିଯୋଗିତା ଭଳି ଅନେକ କାର୍ଯ୍ୟକ୍ରମ ରହିଛି। ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।ଏହି ଶୁଭ ଅବସରରେ ସେମିଲିଗୁଡା ପ୍ରେସ କ୍ଲବ ସଭାପତି ଡଃ ଅଜୟ କୁମାର ସାହୁ, ବରିଷ୍ଠ ନାଗରିକ ସଂଘ ସଭାପତି ଚୈତନ୍ୟ ପାଢ଼ୀ, ସମ୍ପାଦକ ସୌରି ନାୟକ, ମା ଦୁର୍ଗା ବଣିକ ସଂଘ ସଭାପତି ନିଳାଞ୍ଚଳ ସାହୁ, ସମାଜସେବୀ ଶେଖ ଇବ୍ରାହିମ ସହିତ ସ୍ଥାନୀୟ ବହୁ ସାମ୍ବାଦିକ ଓ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମଗ୍ର ଅଞ୍ଚଳରେ ଏହି ମେଳା ନୂତନ ଉତ୍ସାହ ଓ ସାଂସ୍କୃତିକ ସମ୍ପ୍ରେମର ପରିବେଶ ସୃଷ୍ଟି କରିଛି। ଆସନ୍ତା ଦିନଗୁଡିକରେ ଏହି ପ୍ରଦର୍ଶନୀ ସ୍ଥାନୀୟ ଅର୍ଥନୀତି, ହସ୍ତଶିଳ୍ପ ଏବଂ ସାଂସ୍କୃତିକ ପରିଚୟକୁ ଆଉ ଅଧିକ ମଜବୁତ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି।