ଲାହୋରରେ ଫେରିଲା ୮ ଦଶନ୍ଧି ତଳର ଇତିହାସ: ‘ଇସଲାମପୁରା’ ପୁଣି ହେଲା ‘କୃଷ୍ଣ ନଗର’, ବଦଳିବ ଅନେକ ସ୍ଥାନର ନାମ

ବିଭାଜନର ପ୍ରାୟ ଆଠ ଦଶନ୍ଧି ପରେ ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଐତିହାସିକ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର ରାଜଧାନୀ ଲାହୋର ସହରର ପ୍ରମୁଖ ରାସ୍ତା, ଗଳି ଏବଂ ମୋହଲ୍ଲାଗୁଡ଼ିକୁ ସେମାନଙ୍କର ୧୯୪୭ ମସିହା ବିଭାଜନ ପୂର୍ବର ମୂଳ ନାମକୁ ଫେରାଇ ଅଣାଯାଉଛି। ଏହି କ୍ରମରେ ‘ଇସଲାମପୁରା’ର ନାମ ପୁଣିଥରେ ‘କୃଷ୍ଣ ନଗର’ କରାଯାଇଥିବା ବେଳେ ‘ବାବ୍ରି ମସଜିଦ ଚୌକ’କୁ ‘ଜୈନ ମନ୍ଦିର ଚୌକ’ ଭାବେ ପୁନଃନାମିତ କରାଯାଇଛି। ସେହିପରି ‘ସୁନ୍ନତ ନଗର’ ଏବେ ‘ସନ୍ଥ ନଗର’ ଏବଂ ‘ମୁସ୍ତାଫାବାଦ’ ଏବେ ‘ଧରମପୁରା’ ଭାବେ ପରିଚିତ ହେବ। ୧୯୪୭ ମସିହା ଦେଶ ବିଭାଜନ ସମୟରେ ଲାହୋର ସହର ପାକିସ୍ତାନର ଅଂଶ ପାଲଟିଥିଲା। ଗତ ୮୦ ବର୍ଷ ମଧ୍ୟରେ ସେଠାକାର ପୂର୍ବ ସରକାରମାନେ ସହରର ଅନେକ ଐତିହାସିକ ହିନ୍ଦୁ, ଶିଖ୍ ଏବଂ ବ୍ରିଟିଶ କାଳୀନ ନାମଗୁଡ଼ିକୁ ବଦଳାଇ ଇସଲାମିକ କିମ୍ବା ସ୍ଥାନୀୟ ନାମରେ ନାମିତ କରିଦେଇଥିଲେ।

ତେବେ ଲାହୋରର ପୁରୁଣା ସାଂସ୍କୃତିକ ପରିଚୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ନେତୃତ୍ୱରେ ପଞ୍ଜାବ କ୍ୟାବିନେଟ୍ ଏହି ପୁନରୁଦ୍ଧାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପ୍ରସ୍ତାବ ଓ ମାର୍ଗଦର୍ଶନରେ ଏହି ‘ଲାହୋର ଐତିହ୍ୟ କ୍ଷେତ୍ର ପୁନରୁଦ୍ଧାର ପ୍ରକଳ୍ପ’ କାର୍ଯ୍ୟକାରୀ ହେଉଛି।

ଆଗାମୀ ଦିନରେ ଲାହୋରର ଅନେକ ପ୍ରସିଦ୍ଧ ସ୍ଥାନର ନାମ ବଦଳାଇ ପୁରୁଣା ଐତିହାସିକ ନାମ ରଖାଯିବ:

  • କୃଷ୍ଣ ନଗର, ସନ୍ଥ ନଗର, ଧର୍ମପୁରା ଏବଂ ଭଗବାନ ପୁରା
  • ରାମ ଗଲି, ମୋହନ ଲାଲ୍ ବଜାର ଏବଂ ଶାନ୍ତି ନଗର
  • ଜୈନ ମନ୍ଦିର ରୋଡ୍, ଟେମ୍ପଲ୍ ଷ୍ଟ୍ରିଟ୍ ଏବଂ ଲକ୍ଷ୍ମୀ ଚୌକ୍
  • କୁଇନ୍ସ ରୋଡ୍, ଜେଲ୍ ରୋଡ୍, ଡେଭିସ୍ ରୋଡ୍, ଲରେନ୍ସ ରୋଡ୍, ଏମ୍ପ୍ରେସ୍ ରୋଡ୍, ବ୍ରାଣ୍ଡରେଥ୍ ରୋଡ୍, ସୁନ୍ଦର ଦାସ ରୋଡ୍, ଆଉଟଫଲ୍ ରୋଡ୍ ଏବଂ କୁମ୍ଭାରପୁରା।

ନାମ ପରିବର୍ତ୍ତନ ସହ ଲାହୋରର ପ୍ରସିଦ୍ଧ ମିଣ୍ଟୋ ପାର୍କର ପୁନରୁଦ୍ଧାର ପାଇଁ ନୱାଜ ସରିଫ ପ୍ରସ୍ତାବ ଦେଇଛନ୍ତି। ଏଠାରେ ତିନୋଟି କ୍ରିକେଟ ପଡ଼ିଆ ଏବଂ ଏକ ପାରମ୍ପରିକ କୁସ୍ତି ଆଖଡ଼ାର ନବୀକରଣ କରାଯିବ। ୨୦୧୫ ମସିହାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ ସହରୀ ଉନ୍ନୟନ ଯୋଜନା ପାଇଁ ଏହି ଐତିହାସିକ କ୍ରିକେଟ କ୍ଲବ ଏବଂ କୁସ୍ତି ଆଖଡ଼ାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ନେଇ ସେତେବେଳେ ତୀବ୍ର ସମାଲୋଚନା ହୋଇଥିଲା।

ଏହି ପାର୍କ କେବଳ ପାକିସ୍ତାନ ନୁହେଁ, ବରଂ ଅଭିଭକ୍ତ ଭାରତର ଅନେକ କ୍ରୀଡ଼ା ଏବଂ ସାଂସ୍କୃତିକ ଇତିହାସର ସାକ୍ଷୀ ରହିଛି: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକ୍‌ଙ୍କ ଭଳି ଅନେକ ଦିଗ୍ଗଜ ଖେଳାଳି ଏହି ପାର୍କର କ୍ରିକେଟ୍ କ୍ଲବରୁ ହିଁ ପ୍ରଶିକ୍ଷଣ ନେଇଥିଲେ। ଭାରତର କିମ୍ବଦନ୍ତୀ କ୍ରିକେଟର ଲାଲା ଅମରନାଥ ବିଭାଜନ ପୂର୍ବରୁ ଏହି କ୍ରିସେଣ୍ଟ କ୍ରିକେଟ କ୍ଲବ ପାଇଁ ଖେଳୁଥିଲେ। ବିଭାଜନ ପରେ ୧୯୭୮ରେ ଯେତେବେଳେ ସେ ଭାରତୀୟ ଦଳ ସହ ଲାହୋର ଯାଇଥିଲେ, ସେ ମିଣ୍ଟୋ ପାର୍କ ଯାଇ ସେଠାକାର ଖେଳାଳିଙ୍କ ସହ ପୁରୁଣା ସମୟ ବିତାଇଥିଲେ। ଏଠାରେ ଥିବା ପୁରୁଣା ଆଖଡ଼ାରେ ଦିନେ ଗାମା ପେହେଲୱାନ, ଇମାମ ବକ୍ଷ ଏବଂ ଗୁଙ୍ଗା ପେହେଲୱାନଙ୍କ ଭଳି ବିଶ୍ୱପ୍ରସିଦ୍ଧ ମଲ୍ଲଯୋଦ୍ଧାମାନଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ଦେଶ ବିଭାଜନ ପୂର୍ବରୁ ଲାହୋରରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ପ୍ରତିବର୍ଷ ଏହି ମିଣ୍ଟୋ ପାର୍କରେ ଅତି ଧୂମଧାମରେ ଦଶହରା ଉତ୍ସବ ପାଳନ କରୁଥିଲେ।