
ରାଜ୍ୟରେ ଅସହ୍ୟ ତାତିକୁ ନେଇ ଅସ୍ତବ୍ୟସ୍ତ ଜନ ଜୀବନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ ସକାଳୁ ଅସହ୍ୟ ତାତି ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟା ବେଳକୁ ମଧ୍ୟ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିଅସ୍ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ଝାରସୁଗୁଡାରେ ସର୍ବାଧିକ ୪୩.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା।
ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିଅସ୍ ଉପରେ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୩ ଦିନ ଖରା ଓ ଗରମର ପ୍ରକୋପ ଆହୁରି ବଢ଼ିବ। ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ସେଲସିଅସ୍ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।
ଏପରି ଗରମରେ ଲୋକମାନଙ୍କୁ ଅତ୍ୟାବଶ୍ୟକ କାମ ଛାଡ଼ି ଦିନବେଳେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଉଛି। ପର୍ଯ୍ୟାପ୍ତ ପାଣି ପିଇବା ସହ ହାଲୁକା ପୋଷାକ ପିନ୍ଧିବାକୁ ଡାକ୍ତରମାନେ ସୁପାରିଶ କରୁଛନ୍ତି।ତୀବ୍ର ଖରା ଓ ଗରମକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି। ଏହାସହ ପର୍ଯ୍ୟାପ୍ତ ପାଣି ପିଇବା, ଛତା କିମ୍ବା ଟୋପି ବ୍ୟବହାର କରିବା ଏବଂ ଶରୀରକୁ ଥଣ୍ଡା ରଖିବାକୁ ପରାମର୍ଶ ଦିଆଯାଇଛି।