
ବାମନଘାଟୀ ସଦରମହକୁମା ରାଇରଙ୍ଗପୁରରେ ମହାସମାରୋହରେ ପାଳିତ ହୋଇଛି ୮୦ତମ ସ୍ୱାଧୀନତା ଦିବସ। ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ଉପଖଣ୍ଡସ୍ତରୀୟ ଉତ୍ସବରେ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଉପସ୍ଥିତ ଥିଲେ।
ଉଦବୋଧନରେ ମୁଖ୍ୟ ଅତିଥି ସ୍ୱାଧୀନତା ସଂଗ୍ରାମୀ ଓ ମହାମନୀଷୀମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ। ଦେଶର ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ପାଇଁ ପ୍ରତ୍ୟେକେ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ହିଁ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ରାଇରଙ୍ଗପୁର ଏବେ ବିକାଶର ଧାରାରେ ଆଗେଇ ଚାଲିଥିବା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟିତ ହୋଇଥିବା ସେ ଉଲ୍ଲେଖ କରିଥିଲେ।ଚଳିତ ବର୍ଷ ନୂତନ ପୁଲିସ ଜିଲ୍ଲା ଗଠନ ପରେ ପ୍ରଥମଥର ପାଇଁ ଜାତୀୟ ଦିବସ ପ୍ୟାରେଡ୍ ଆୟୋଜିତ ହୋଇଥିଲା। ପୁଲିସ ବାହିନୀ ସମେତ ଏନସିସି, ସ୍କାଉଟ-ଗାଇଡ୍, ରେଡକ୍ରସ ଓ ସିଭିଲିଆନ ଦଳକୁ ମିଶାଇ ମୋଟ ୨୮ଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ।
ପ୍ୟାରେଡ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ବିଜେତା ଦଳଗୁଡ଼ିକୁ ମୁଖ୍ୟ ଅତିଥି ସିଲ୍ଡ ଓ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ବାମନଘାଟୀ ଉପଖଣ୍ଡରେ ଉତ୍କୃଷ୍ଟ ଫଳାଫଳ କରିଥିବା ତିନି ଛାତ୍ରଛାତ୍ରୀ, NEETରେ ସଫଳ ୭ ଛାତ୍ରୀ ଓ ସେମାନଙ୍କୁ ମାର୍ଗଦର୍ଶନ କରିଥିବା ୫ ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ପୁଲିସ ଅଧିକାରୀ, ଜନପ୍ରତିନିଧି, ଶିକ୍ଷାବିତ୍ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ।