
ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ବେଦୀ ସିଂହାସନ, ସିଂହାସନ ମାଲ କାଠ, ରୂପ ଖୋଦେଇ, ଚିତ୍ରକଳା ଓ କମାରଶାଳର ବିଭିନ୍ନ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି।ତିନିରଥର ବେଦୀ ସିଂହାସନ ନିର୍ମାଣ ପାଇଁ ଚାରି ନାହାକାର ଉଭୟ ପାର୍ଶ୍ୱରେ ଆଗ ଓ ପଛ ଢମକ ଉପରେ ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପକାଯାଉଛି। ବେଦୀ ପରିସର ବଢ଼ାଇବା ପାଇଁ ଉଭୟ ପାର୍ଶ୍ୱରେ ବାହୁଟ ଫାଳିଆ ପଡ଼ିବା ସହ ତିନି ପାର୍ଶ୍ୱରେ ଗାଈଗୋଠ ପଟା ବାଡ଼ିଆ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବାବେଳେ ବେଦୀ ଉପର ପଟା ପକାଯିବା କାର୍ଯ୍ୟ ଜାରି ରହିଛି।ସେହିପରି ସିଂହାସନ ମାଲ କାଠ ପାଇଁ ରଥ ଅମୀନ ଯୋଗାଇଥିବା ୩୦ ଫୁଟିଆ ଶାଳ କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ରତ୍ନସିଂହାସନରୁ ଓହ୍ଲାଇବା ପାଇଁ କୋଠ ସୁଆଁସିଆ ସେବକମାନେ ଏହି ଶାଳ ମାଲ କାଠରେ ଚାରମାଲ ବାନ୍ଧିବା କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ, ତିନିରଥର ମୁଖ୍ୟ ଓ ସହଯୋଗୀ ରୂପକାର ସେବକମାନେ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।ମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ରଙ୍କ ମାର୍ଗଦର୍ଶନରେ ସହଯୋଗୀ ଚିତ୍ରକାରମାନେ ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ୨୪ଟି ନାଟଗୋଡ଼, ୩୩ଟି କନ୍ୟାପଟା, ୬ଟି କଳସ, ୮୪ଟି ହଂସପଟା, ୪୫ଟି ଠେକରା ବାଡ଼, ଋଷିପଟା, ହାତୀପଟା, ମଗରପଟା ଓ ଦୁଆର ବେଢ଼ ସମେତ ତିନିରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ଏପଟେ ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ପ୍ରଭା କଣ୍ଟା, ଦୁଆର ବେଢ଼ା କଣ୍ଟା ଏବଂ ଘୋଡ଼ା ଓ ସାରଥୀଙ୍କ ପାଇଁ ବାଗିଆ କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ପାହି ମହାରଣା ସେବକମାନେ ରଥଯାତ୍ରାର ସେବାପୂଜା ନିମନ୍ତେ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି।