
ଚାଉଳିଆଗଞ୍ଜ ଥାନାର ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ କଟକ ଡିସିପିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଡିସିପି କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତଦନ୍ତକୁ ଆହୁରି ବୈଜ୍ଞାନିକ ଭାବେ ଆଗକୁ ବଢ଼ାଯାଉଛି। ତେବେ ମୃତ୍ୟୁର ପରିସ୍ଥିତି ଓ ପ୍ରକୃତ କାରଣ ବିଷୟରେ ଚୂଡ଼ାନ୍ତ ନିଷ୍କର୍ଷ ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ। ଏହି ଘଟଣାରେ ତଦନ୍ତକାରୀ ଦଳ କୌଣସି ଗୋଟିଏ ଦିଗ ଉପରେ ନିର୍ଭର କରୁନାହାନ୍ତି। ବରଂ ଘଟଣାସ୍ଥଳର ପ୍ରମାଣ,ସିସିଟିଭି ଫୁଟେଜ୍,ମୋବାଇଲ୍ ଫୋନ୍,ହ୍ୱାଟସଆପ୍ ଚାଟ୍,ସୋସିଆଲ ମିଡିଆ ବାର୍ତ୍ତା,କଲ୍ ଡିଟେଲ୍ ରେକର୍ଡ,ଲାପଟପ୍ ଏବଂ ବ୍ୟାଙ୍କ କାରବାର ଭଳି ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।
ଦୁଇଟି ମୋବାଇଲ୍ ଫୋନ୍ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଡିସିପି କହିଛନ୍ତି, ମୃତ୍ୟୁ ପୂର୍ବରୁ ଶେଷ ଥର କାହା ସହ କଥା ହୋଇଥିଲା,ସେହି ବ୍ୟକ୍ତିଙ୍କ ପରିଚୟ ଏବଂ ସେହି କଥାବାର୍ତ୍ତାର ପ୍ରସଙ୍ଗକୁ ମଧ୍ୟ ଯାଞ୍ଚ କରାଯାଉଛି। ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଦାବି ଓ ଚର୍ଚ୍ଚା ହେଉଛି।
କିନ୍ତୁ ପୋଲିସ ସ୍ପଷ୍ଟ କରିଛି ଯେ ଅପ୍ରମାଣିତ ତଥ୍ୟ କିମ୍ବା ଗୁଜବକୁ ବିଶ୍ୱାସ କରିବା ଉଚିତ୍ ନୁହେଁ। କେବଳ ସରକାରୀ ତଦନ୍ତ ଏବଂ ପ୍ରମାଣିତ ସୂଚନାକୁ ଆଧାର କରି ନିଷ୍କର୍ଷରେ ପହଞ୍ଚିବା ଦରକାର। ଏହି ମାମଲାରେ ଓଡ଼ିଶା ପୋଲିସ ଅଫିସର୍ସ ଆସୋସିଏସନ୍ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ସେମାନଙ୍କ କହିବା ଅନୁସାରେ,ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ।