ବଙ୍ଗୋପସାଗରରେ ପୁଣି ଘନଉଛି ବାତ୍ୟା ଆଶଙ୍କା। ଗୋଟିଏ ପଟେ ଲଘୁଚାପ, ଅନ୍ୟପଟେ ପାଣିପାଗର ଅନୁକୂଳ ସ୍ଥିତି। ଧୀରେ ଧୀରେ ଘନୀଭୂତ ହେଉଛି ସାମୁଦ୍ରିକ ପାଣିପାଗ। ନଭେମ୍ବର ୧୬ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନକୁ ନେଇ ବଢ଼ିଛି ଚର୍ଚ୍ଚା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ନଭେମ୍ବର ୧୩ରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆସନ୍ତାକାଲି ସୁଦ୍ଧା ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସହ ୧୫ ତାରିଖରେ ଅବପାତର ରୂପ ନେଇପାରେ। ପରେ ଏହା ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ବାତ୍ୟା ହେଲେ ଏହା ମୁହାଁଇବ କେଉଁ ଦିଗକୁ? ଓଡ଼ିଶା ଉପକୂଳ ପାଇଁ ରହିଛି କି ବିପଦ? ନା ଆନ୍ଧ୍ରପ୍ରଦେଶ ଉପକୂଳକୁ କରିବ ଟାର୍ଗେଟ୍? ନା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ବଦଳାଇବ ଗତିପଥ? ଏହାକୁ ନେଇ ଏବେ ବି ରହିଛି ଅନିଶ୍ଚିତତା। ବିଭିନ୍ନ ପାଣିପାଗ ମଡେଲର ଆକଳନ ମଧ୍ୟରେ ତାଳମେଳ ନଥିବାରୁ କେଉଁ ଉପକୂଳରେ ଏହାର ପ୍ରଭାବ ପଡ଼ିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ।
ପ୍ରାରମ୍ଭିକ ଆକଳନ ଅନୁସାରେ, ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ ବୋଲି କିଛି ଆକଳନ କରୁଛନ୍ତି। ଅନ୍ୟ କିଛି ମଡେଲ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମଧ୍ୟ ସମ୍ଭାବନା ଦେଖାଉଛନ୍ତି। ତେଣୁ ଏବେଠାରୁ କୌଣସି ଗୋଟିଏ ଗତିପଥକୁ ନିଶ୍ଚିତ କରାଯାଇପାରିବ ନାହିଁ।
ସେପଟେ ନଭେମ୍ବର ୧୯ରୁ ୨୫ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ନେଇ ବିଭିନ୍ନ ପାଣିପାଗ ମଡେଲରେ ମଧ୍ୟ ସଙ୍କେତ ମିଳୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ଆସନ୍ତା ୪୮ ଘଣ୍ଟାର ପାଣିପାଗ ଗତିବିଧି ଉପରେ ରହିଛି ସମସ୍ତଙ୍କ ନଜର।ତେବେ ଏବେଠାରୁ ଭୟଭୀତ ହେବାର ସମୟ ନୁହେଁ। ବାତ୍ୟାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ସ୍ଥାନ ନେଇ ଅଧିକ ସ୍ପଷ୍ଟତା ଆସିବା ପରେ ହିଁ ପ୍ରକୃତ ବିପଦ ଆକଳନ କରାଯାଇପାରିବ। ଏବେ ପ୍ରଶ୍ନ ଗୋଟିଏ—ବଙ୍ଗୋପସାଗରରେ ଜନ୍ମ ନେଉଥିବା ଏହି ଘୂର୍ଣ୍ଣିଝଡ଼ କେଉଁ ଉପକୂଳରେ ଦେଖାଇବ ତାର ପ୍ରକୋପ? ସମସ୍ତଙ୍କ ନଜର ଏବେ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ।