Odisha Matric Exam 2027 : ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା, ପ୍ରକାଶ ପାଇଲା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ୨୦୨୭ ମସିହାର ବାର୍ଷିକ ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ। ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି। ପରୀକ୍ଷା ପାଇଁ ଏବେଠାରୁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଜୋରଦାର ହେବାକୁ ଯାଉଛି।

ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରତ୍ୟେକ ଦିନ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ତେବେ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ। ଅର୍ଥାତ୍ ଗଣିତ ପରୀକ୍ଷା ସକାଳ ୯ଟାରୁ ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଗୋଟିଏ ସିଟିଂରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ।

ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ଭାଷା ପରୀକ୍ଷା ଥିବାବେଳେ ୧୫ ତାରିଖରେ ସାଧାରଣ ବିଜ୍ଞାନ, ୧୭ ତାରିଖରେ ଗଣିତ, ୧୮ ତାରିଖରେ ଭିଜୁଆଲ୍ ଆର୍ଟ ପ୍ରାକ୍ଟିକାଲ୍ ଏବଂ ୧୯ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୨୪ ତାରିଖରେ ଦ୍ୱିତୀୟ ଭାଷା, ୨୫ ତାରିଖରେ ତୃତୀୟ ଭାଷାର ନିର୍ଦ୍ଦିଷ୍ଟ ବିଷୟ ଏବଂ ୨୭ ତାରିଖରେ ଅବଶିଷ୍ଟ ତୃତୀୟ ଭାଷା ଓ ଧନ୍ଦାମୂଳକ ବିଷୟର ପରୀକ୍ଷା କରାଯିବ।

ଅନ୍ୟପଟେ ମାଟ୍ରିକ୍ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ନିଜର ଅଫିସିଆଲ୍ ଲଗଇନ୍ ମାଧ୍ୟମରେ ଆବେଦନ ଦାଖଲ କରିପାରିବେ। ଛାତ୍ରଛାତ୍ରୀଙ୍କ ନାମ ଓ ଅନ୍ୟାନ୍ୟ ତଥ୍ୟରେ ତ୍ରୁଟି ଥିଲେ ସଂଶୋଧନ କରିବାର ସୁଯୋଗ ମଧ୍ୟ ରହିଛି।

ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ବିଷୟଭିତ୍ତିକ ପାଠପଢ଼ା, ନିୟମିତ ଅଭ୍ୟାସ ଏବଂ ପୁନରାବୃତ୍ତି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଛି। ପରୀକ୍ଷା ସମ୍ପର୍କିତ ସମସ୍ତ ନୂଆ ସୂଚନା ପାଇଁ ବୋର୍ଡର ଅଧିକୃତ ୱେବସାଇଟ୍ ଅନୁସରଣ କରିବାକୁ କୁହାଯାଇଛି।