ଓଡ଼ିଶାର ଶିଳ୍ପ ବିକାଶ ଇତିହାସରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଯୋଡ଼ିବାକୁ ଯାଉଛି।ଆଉ କିଛି ସମୟ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ବହୁ ପ୍ରତୀକ୍ଷିତ ଜେଏସଡବ୍ଲ୍ୟୁ (JSW) ଷ୍ଟିଲ ପ୍ଲାଣ୍ଟର ଉଦଘାଟନ କରାଯିବ। ଏହି ପ୍ରକଳ୍ପ କେବଳ ଜଗତସିଂହପୁର ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶକୁ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ପ୍ରାଥମିକ ପର୍ଯ୍ୟାୟରେ ବାର୍ଷିକ ୧୩.୨ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ଉତ୍ପାଦନ କରିବାକୁ ଏହି ପ୍ଲାଣ୍ଟ ଲକ୍ଷ୍ୟ ରଖିଛି। ଏହା କାର୍ଯ୍ୟକ୍ଷମ ହେଲେ ଦେଶର ଅନ୍ୟତମ ବୃହତ୍ ଇସ୍ପାତ ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ହେବ।ଢିଙ୍କିଆ ଅଞ୍ଚଳରେ ପୂର୍ବରୁ ପ୍ରସ୍ତାବିତ POSCO ପ୍ରକଳ୍ପକୁ ନେଇ ବର୍ଷ ବର୍ଷ ଧରି ଅନିଶ୍ଚିତତା ଓ ବିବାଦ ଲାଗି ରହିଥିଲା। ପରେ ପୋସ୍କୋ ପ୍ରକଳ୍ପରୁ ଓହରି ଯିବା ପରେ ଏଠାରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଥିଲା। ଜମି ଅଧିଗ୍ରହଣ ଓ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ପ୍ରକଳ୍ପର ଭିତ୍ତିଭୂମି ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନ ଏହା ଉତ୍ପାଦନ ପର୍ଯ୍ୟାୟକୁ ଆସିପହଞ୍ଚିଛି। ୨୦୨୮ ସୁଦ୍ଧା ପ୍ଲାଣ୍ଟକୁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ଦୁଇ ବର୍ଷ ପୂର୍ବରୁ ଉତ୍ପାଦନ ଆରମ୍ଭ କରିବା ଦିଗରେ କମ୍ପାନୀ ଅଗ୍ରସର ହେଉଛି।ଉଦଘାଟନ ଉତ୍ସବକୁ ନେଇ ପ୍ଲାଣ୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଏବଂ ତିର୍ତ୍ତୋଲ ବିଧାୟକରାମାକାନ୍ତ ଭୋଇ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ହଜାର ହଜାର ଯୁବକ, ଯୁବତୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବା ସହ ପାରାଦ୍ୱୀପ ଓ ଜଗତସିଂହପୁର ଅଞ୍ଚଳରେ ଶିଳ୍ପାୟନର ନୂଆ ଦିଗ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି।