ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ରେଡମ୍ ଗ୍ରାମରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯେଉଁଠାରୁ ଚାଷୀଙ୍କ ହକ୍ ଓ ସ୍ୱାଭିମାନ ରକ୍ଷା ପାଇଁ ଏକ ନୂତନ ଅଭିଯାନର ଶୁଭାରମ୍ଭ କରାଯାଇଛି।
ସଙ୍ଗଠନର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସତ୍ତା ନୁହେଁ ବରଂ ସମ୍ପୂର୍ଣ୍ଣ ବ୍ୟବସ୍ଥାର ପରିବର୍ତ୍ତନ କରିବା। ଏହି ପରିପ୍ରେକ୍ଷୀରେ ସଙ୍ଗଠନକୁ ବ୍ୟକ୍ତି-କେନ୍ଦ୍ରିକରୁ ‘ବ୍ୟବସ୍ଥା-କେନ୍ଦ୍ରିକ’ କରିବା ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଏହି ଆପ୍ ମାଧ୍ୟମରେ ଚାଷୀମାନେ ମଣ୍ଡି ସମସ୍ୟା, ସାର ଓ କୀଟନାଶକର ଅନିୟମିତତା, ଦୁର୍ନୀତି, ସରକାରୀ ଅବହେଳା ଏବଂ ଚାଷୀଙ୍କ ସହ ହେଉଥିବା ଅନ୍ୟାୟ ସମ୍ପର୍କରେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ।ଯାହା ଅନ୍ୟ ସମସ୍ତ ଗ୍ରାମର ଚାଷୀଙ୍କ ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ।
ପ୍ରଶାସନିକ ସ୍ତରରେ ଚାଲିଥିବା ଲୁଟ୍ ଏବଂ ଭ୍ରଷ୍ଟାଚାର ବିରୋଧରେ ଏକ ପରିସଂଖ୍ୟାନ ଭିତ୍ତିକ ସାଂଗଠନିକ ସଂଗ୍ରାମ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ୫ ଜଣ ଲେଖାଏଁ ବୁଥ୍ ମ୍ୟାନେଜର ନିଯୁକ୍ତ କରାଯିବ। ଏହି ବୁଥ୍ ମ୍ୟାନେଜରମାନେ ସାଧାରଣ ଜନତା ଏବଂ ଚାଷୀଙ୍କ ସମସ୍ତ ସମସ୍ୟାର ସର୍ଭେ କରି ଏକ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରିବେ। ଏହା ସହିତ ପ୍ରତ୍ୟେକ ବ୍ଲକରେ ଅତିକମରେ ୨୦ ଜଣ ଚାଷୀ ପୁଅ,ଝିଅ ସ୍ଥାୟୀ ଭାବେ କାର୍ଯ୍ୟ କରିବେ, ଯେଉଁମାନେ ଚାଷୀଙ୍କ ଅଭିଯୋଗର ସମାଧାନ କରିବା ସହ ସର୍ଭେ କାର୍ଯ୍ୟର ତଦାରଖ କରି ପ୍ରଶାସନ ସହିତ ସେତୁ ସଦୃଶ କାର୍ଯ୍ୟ କରିବେ।ସେମାନେ ଚାଷୀଙ୍କ ସମସ୍ୟାର ସମାଧାନ ସହିତ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭୂମିକା ନିର୍ବାହ କରିବେ।
‘ପାର୍ଟି ସରକାର ହେଲା ବେକାର, ଆମର ଦରକାର ଚାଷୀ ସରକାର’ ସ୍ଲୋଗାନକୁ ଆଧାର କରି ଆରମ୍ଭ ହୋଇଥିବା ଏହି ଅଭିଯାନରେ ଭବିଷ୍ୟତର ଚାଷୀ ନେତୃତ୍ୱ ସୃଷ୍ଟି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦିଆଯିବ ବୋଲି ସଂଗଠନ ସ୍ପଷ୍ଟ କରିଛି। ୱାର୍ଡ ସ୍ତରରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଚାଷୀ ସମାଜର ପ୍ରତିନିଧିତ୍ୱ ବଢ଼ାଇବାକୁ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ବୈଠକରେ ଉପସ୍ଥିତ ଚାଷୀମାନେ ସଂଗଠନର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିବା ସହ ଅଭିଯାନ ପାଇଁ ସ୍ୱଇଚ୍ଛାରେ ଧାନ ଓ ଅର୍ଥ ସହଯୋଗ ଦେବାକୁ ସଂକଳ୍ପ ନେଇଛନ୍ତି। ଜଣେ ଚାଷୀ ୫୦ କେଜିରୁ ୧ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କିମ୍ବା ସମପରିମାଣର ଅର୍ଥ ଦାନ କରି ଏକ ସ୍ୱତନ୍ତ୍ର ପାଣ୍ଠି ଗଠନର ନିଷ୍ପତ୍ତି ହୋଇଛି।
ବୈଠକ ଶେଷରେ ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀ କହିଥିଲେ ଯେ, ଏହି ଅଭିଯାନ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ବିଭିନ୍ନ ନିର୍ବାଚନରେ ଚାଷୀ-କେନ୍ଦ୍ରିକ ନେତୃତ୍ୱ ଓ ସମାଜ ସ୍ୱୀକୃତ ପ୍ରତିନିଧିତ୍ୱ ପାଇଁ ଏକ ଶକ୍ତ ମୂଳଦୁଆ ସାବ୍ୟସ୍ତ ହେବ। ଏହା ସହିତ ସୋନପୁର ଜିଲ୍ଲାରୁ ‘ଚାଷୀ ସରକାର’ ଗଠନ ଅଭିଯାନର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ସେ ଦୃଢ଼ତାର ସହ କହିଛନ୍ତି।