ନୂଆପଡ଼ା ପାଇଁ ବଡ଼ ଖବର: ମୁଖ୍ୟମନ୍ତ୍ରୀଙ୍କ ଦରବାରରେ ବସନ୍ତ ପଣ୍ଡା! ବଦଳିବ କି ଜିଲ୍ଲାର ଭାଗ୍ୟ?

ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ତଥା ବିଭିନ୍ନ ଅଟକି ରହିଥିବା ଉନ୍ନୟନମୂଳକ ପ୍ରକଳ୍ପର ତ୍ୱରାନ୍ୱିତ ପାଇଁ ପୂର୍ବତନ କଳାହାଣ୍ଡି ସାଂସଦ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଜିଲ୍ଲାର ପ୍ରଗତି ପାଇଁ ଏକ ଦାବି ସମ୍ବଳିତ ପ୍ରସ୍ତାବ ପତ୍ର ପ୍ରଦାନ କରାଯାଇଛି।

ଏହି ବିଷୟରେ ସବିଶେଷ ସୂଚନା ଦେବା ପାଇଁ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତ ଯୋଗଦେଇ କହିଛନ୍ତି ଯେ, ନୂଆପଡା ଜିଲ୍ଲାର ଦୀର୍ଘଦିନର ଦାବି, ବିଶେଷ କରି ଜଳସେଚନର ସୁବିଧା, ସ୍ୱାସ୍ଥ୍ୟ ସେବାରେ ସୁଧାର, ରାଜସ୍ୱ ସମସ୍ୟାର ସମାଧାନ ଏବଂ ଗମନାଗମନର ବିକାଶ ଭଳି ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି।

ଜିଲ୍ଲା ସଭାପତି ଶ୍ରୀ ଦୀକ୍ଷିତ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ପ୍ରସ୍ତାବ ପତ୍ରକୁ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଆଗାମୀ ଦିନରେ ନୂଆପଡା ଜିଲ୍ଲାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ରୂପରେଖ ବଦଳିବ ବୋଲି ଆଶା ପ୍ରକଟ କରିଛନ୍ତି। ଏହି ସମ୍ମିଳନୀରେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।