
ଦୈନନ୍ଦିନ ଚା’ରେ ଚିନିର ପରିମାଣ କମାଇବା ଦେଖିବାକୁ ଛୋଟ ପଦକ୍ଷେପ ଲାଗିପାରେ, କିନ୍ତୁ ଏହା ଶରୀର ପାଇଁ ବଡ଼ ଲାଭଦାୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଚିନି ଛାଡ଼ିବାର ପ୍ରଥମ କିଛି ଦିନ ଅଳ୍ପ କଷ୍ଟକର ହୋଇପାରେ, କାରଣ ଆମର ଜିହ୍ବା ଓ ମସ୍ତିଷ୍କ ଚିନିର ମିଠା ସ୍ୱାଦକୁ ଅଭ୍ୟସ୍ତ ହୋଇଥାଏ। ଏହି ସମୟରେ କେହି କେହି ଚିନି ପାଇଁ ଆକାଂକ୍ଷା, ଶକ୍ତି କମିଯିବା କିମ୍ବା ସାମାନ୍ୟ ମୁଣ୍ଡବିନ୍ଧା ଅନୁଭବ କରିପାରନ୍ତି।
ତଥାପି ଏଣ୍ଡୋକ୍ରାଇନୋଲୋଜିଷ୍ଟମାନଙ୍କ କହିବା ଅନୁସାରେ, ବିନା ଚିନିରେ ଚା’ ପିଇବାର ଅଭ୍ୟାସ କରିବା ପରେ ପ୍ରଥମ ସପ୍ତାହରୁ ଶରୀରର ରକ୍ତ ଶର୍କରା ସ୍ତର ଧୀରେ ଧୀରେ ସ୍ଥିର ହେବା ଆରମ୍ଭ କରେ। ଚିନିର ତୀବ୍ର ବୃଦ୍ଧି ନ ହେବାରୁ ଇନସୁଲିନ୍ ସମ୍ବେଦନଶୀଳତା ଉନ୍ନତ ହୁଏ ଏବଂ ଶରୀର ଶକ୍ତିକୁ ଅଧିକ କ୍ଷମତାର ସହ ବ୍ୟବହାର କରିପାରେ। ଏହା ଦ୍ୱାରା ଖାଇବା ପରେ ଥକାପଣ କମିଯାଏ ଓ ମନୋଭାବ ମଧ୍ୟ ସ୍ଥିର ରହେ।
ପ୍ରାୟ ଦୁଇ ସପ୍ତାହ ପରେ ସ୍ୱାଦ ଅନୁଭବରେ ମଧ୍ୟ ପରିବର୍ତ୍ତନ ଆସିବା ଆରମ୍ଭ କରେ। ଚା’, କ୍ଷୀର କିମ୍ବା ଫଳର ପ୍ରାକୃତିକ ମିଠା ସ୍ୱାଦ ଅଧିକ ସ୍ପଷ୍ଟ ଭାବେ ଅନୁଭବ ହୁଏ। ମାସେକ ପରେ ଏହାର ଲାଭ ଅଧିକ ଦୃଶ୍ୟମାନ ହୁଏ। ଚିନି ବିନା କ୍ୟାଲୋରି ଗ୍ରହଣ କମିଯିବାରୁ ଓଜନ କିଛିହେଲେ ହ୍ରାସ ପାଇପାରେ, ବିଶେଷକରି ଅଣ୍ଟା ପାଖରେ। ସେହିପରି କମ୍ ଚିନି ସେବନ କରିଲେ ଚର୍ମର ବ୍ରଣ ଓ ପ୍ରଦାହ ମଧ୍ୟ କମିପାରେ। ଏହା ସହିତ ହୃଦୟ ଓ ଯକୃତ ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ହୁଏ ଏବଂ ଖରାପ କୋଲେଷ୍ଟ୍ରଲ୍ କମିବା ସହ ଫ୍ୟାଟି ଲିଭର୍ ଆଶଙ୍କା ମଧ୍ୟ ହ୍ରାସ ପାଏ। ସେହିପରି ଥରେ ବିନା ଚିନିରେ ଚା’ ପିଇବାର ଅଭ୍ୟାସ ହୋଇଗଲେ, ପୁଣି ପୁରୁଣା ଅଭ୍ୟାସକୁ ଫେରିବାକୁ ମନ ହୁଏନି।