ଦିଦି ତମ ସମୟ ଶେଷ, ୨୦୨୬ରେ ବେଙ୍ଗଲରେ ବିଜେପି ସରକାର: ଶାହା

ଆକ୍ସନ ମୋଡରେ ବିଜେପି | ଦିଦିଙ୍କ ଗଡ ଭାଙ୍ଗି ଗେରୁଆ କରିବାକୁ ଲକ୍ଷ୍ୟ ରଖିଛି ବିଜେପି | ଏଥିପାଇଁ ଦିଲ୍ଲୀରୁ ହେଉଛି ବଡ ଯୋଜନା |
ଏଥର କଳେ ବଳେ କୌଶଳେ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବିଜେପି | ଭାରତର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତାରେ ଥିବା ଅନ୍ୟ ଦଳମାନଙ୍କୁ ପରାଜିତ କରି ଗେରୁଆ ଗଡ଼ କରି ଚାଲିଥିବା ବେଳେ ମୋଦୀଙ୍କ ନେତୃତ୍ବ ଏବଂ ମୋଦୀ ମ୍ୟାଜିକ ପାଇଁ ଅନେକ ରାଜ୍ୟରେ ଚମତ୍କାର ହେଉଛି |

ଓଡ଼ିଶା ପରି ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବାକୁ ପ୍ରାଣପଣେ ଉଦ୍ୟମ ଜାରି ରହିଛି | ୨୦୨୬ରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ଶୀର୍ଘ ନେତୃତ୍ବ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି |

ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ମମତା ସରକାରଙ୍କୁ ଧୋଇଥିବା ବେଳେ ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମମତାଙ୍କ ଉପରେ ଧୁମ୍ ବର୍ଷିଛନ୍ତି | ଏହା ସୁଚାଇ ଦେଉଛି କି ବିଜେପି ପଶ୍ଚିମବଙ୍ଗ ନିର୍ବାଚନକୁ କେତେ ଗୁରୁତ୍ବ ଦେଉଛି |

ଶାହ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ୨୦୨୬ରେ ସରକାର ଗଢୁଛି, ବିଜେପି ସରକାର ଗଢିଲେ ହିଁ ଦେଶ ସୁରକ୍ଷିତ ରହିବ | କାରଣ ମମତା ସରକାରଙ୍କ ଆଶୀର୍ବାଦରୁ ଅନୁପ୍ରବେଶକାରୀ ବାଂଲାଦେଶ ଆଡୁ ମାଡି ଆସୁଛନ୍ତି ଯାହା ଦେଶର ସୁରକ୍ଷା ପ୍ରତି ବିପଦ | କେବଳ ପଦ୍ମ ଫୁଟିଲେ ହିଁ ଏହା ସମ୍ଭବ ବୋଲି ଶାହ କହିଛନ୍ତି |

ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି | ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି | ଏହି ମାଟିରେ ଶତାଧିକ ବିଜେପି କର୍ମୀଙ୍କ ହତ୍ୟା ହୋଇଛି | ତେଣୁ ମନେରଖ ଦିଦି ତମ ସମୟ ସରିଆସିଲାଣି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢୁଛି | ଆଉ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ହତ୍ୟାକାରୀଙ୍କୁ ମାଟିରେ ପୋତା ହୋଇଥିଲେ ବି ବାହାରକରି ଦଣ୍ଡ ଦିଆଯିବ | ଏହା ମୋର ପ୍ରତିଶ୍ରୁତି ବୋଲି ଶାହା କହିଛନ୍ତି |