
ଜଗତସିଂହପୁରରେ ଚାଞ୍ଚଲ୍ୟ । ଜଗତସିଂହପୁର ଥାନା ଅଞ୍ଚଳର କାଠିଆପଡା ନିକଟସ୍ଥ ଏକ ମୁଗ ବିଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍କଣ୍ଠା ଛାଇଯାଇଛି। ମୃତ ଯୁବତୀଙ୍କ ପରିଚୟ କାଠିଆପଡା ଗାଁର ପ୍ରମୋଦ ଦାସଙ୍କ ଝିଅ ଡଲି ଓରଫ ସସ୍ମିତା ଦାସ । ସୂଚନା ଅନୁସାରେ, ଗତ ତିନି ଦିନ ପୂର୍ବରୁ ସସ୍ମିତାଙ୍କର ନିର୍ବନ୍ଧ ସରିଥିଲା । କିଛି ଦିନ ପରେ ହୋଇଥାନ୍ତା ବାହାଘର । କିନ୍ତୁ ତା ପୂର୍ବରୁ ସବୁ ସରିଗଲା। ଗତକାଲି ରାତି ପ୍ରାୟ ୮ଟାରେ ସସ୍ମିତା ପଡ଼ୋଶୀ ଘରୁ ଫେରୁଛି ବୋଲି କହି ବାହାରି ଯାଇଥିବା ସତ୍ତ୍ୱେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଚିନ୍ତିତ ହୋଇ ସେଠାରୁ ତାଙ୍କୁ ଖୋଜାଖୋଜି କରିଥିଲେ। ମୋବାଇଲକୁ ଫୋନ କଲେ ମଧ୍ୟ ମୋବାଇଲ ବନ୍ଦ ଥିବାରୁ ଉତ୍କଣ୍ଠା ଆହୁରି ବଢ଼ିଯାଇଥିଲା।

ରାତି ସାରା ଖୋଜାଖୋଜି ପରେ ମଧ୍ୟ ସସ୍ମିତାଙ୍କର କିଛି ପତ୍ତା ମିଳିନଥିଲା। ପରବର୍ତ୍ତୀ ଦିନ ସନ୍ଧ୍ୟାରେ କିଛି ଗ୍ରାମବାସୀ ବିଲ ଆଡେ ଯାଇଥିବା ବେଳେ ଏକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ପରିବାରକୁ ସୂଚନା ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ସସ୍ମିତାଙ୍କୁ ଚିହ୍ନଟ କରିଥିଲେ, ଯାହା ପରେ ଘରେ ଶୋକର ଛାୟା ଛାଇଯାଇଥିଲା। ଖବର ପାଇ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ପ୍ରାଥମିକ ତଦନ୍ତରୁ ପ୍ରେମ ଜନିତ ବିବାଦକୁ କେନ୍ଦ୍ର କରି ସସ୍ମିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ପଛରେ କିଏ ରହିଛି, କେମିତି ଏହି ନିର୍ମମ ହତ୍ୟା ଘଟିଲା—ସେଥିପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ପରାଦ୍ବୀପରୁ ସୁମନ୍ତ ସ୍ବାଇଁ