ଜାତୀୟ ସ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ପ୍ରତିଧ୍ୱନି ଏବେ ଓଡ଼ିଶାରେ ମଧ୍ୟ ଶୁଣିବାକୁ ମିଳିଛି। ରାଜ୍ୟର ବେକାର ଯୁବବର୍ଗଙ୍କ ଚାକିରି ସମସ୍ୟାକୁ କେନ୍ଦ୍ର କରି ଏହି ପ୍ରସଙ୍ଗ ନୂଆ ରାଜନୈତିକ ଓ ସାମାଜିକ ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ବିଭୂତି ମହାପାତ୍ର କହିଛନ୍ତି ଯେ, “ଯଦି ମେଧାବୀ ଯୁବକ ଓ ଯୁବତୀଙ୍କୁ କକ୍ରୋଚ୍ ବୋଲି କୁହାଯାଉଛି, ତେବେ ଆମେ ସେଥିପାଇଁ ଗର୍ବିତ। କାରଣ ଆଜି ଲକ୍ଷ ଲକ୍ଷ ଯୁବବର୍ଗ ଚାକିରି ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ ସରକାର ସେମାନଙ୍କ ଭବିଷ୍ୟତ ପ୍ରତି ଉଦାସୀନ ରହିଛନ୍ତି।”ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଏସ୍ଆଇ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ହଜାର ହଜାର ପ୍ରାର୍ଥୀ ଏବେ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ପ୍ରାୟ ୧ ଲକ୍ଷ ୫୬ ହଜାର ଯୁବକ-ଯୁବତୀ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାର ଅପେକ୍ଷାରେ ଥିବା ବେଳେ, ଜିଆରଏସ୍ ପଦବୀ ପାଇଁ ଆବେଦନ କରିଥିବା ପ୍ରାୟ ୨ ଲକ୍ଷ ମେଧାବୀ ପ୍ରାର୍ଥୀ ମଧ୍ୟ ଚାକିରି ଆଶାରେ ରହିଛନ୍ତି। ଏହାଛଡ଼ା ବିଭିନ୍ନ ବିଭାଗରେ ଖାଲି ପଦବୀ ପୂରଣ ହୋଇନଥିବାରୁ ଲକ୍ଷାଧିକ ଯୁବବର୍ଗ ନିଯୁକ୍ତି ଅପେକ୍ଷାରେ ଅଛନ୍ତି।ଛାତ୍ରନେତାଙ୍କ ଦାବି ହେଉଛି, ସରକାର ତୁରନ୍ତ ସମସ୍ତ ଖାଲି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଓ ପରୀକ୍ଷା ତାରିଖ ଘୋଷଣା କରନ୍ତୁ। ଯଦି ଏହା ସମ୍ଭବ ନୁହେଁ, ତେବେ ଆନ୍ଦୋଳନର ତାରିଖ ଘୋଷଣା କରିବାକୁ ସରକାର ପ୍ରସ୍ତୁତ ରହୁନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଯଦି ଯୁବବର୍ଗଙ୍କ ଦାବି ପୂରଣ ନହୁଏ, ତେବେ ରାଜ୍ୟର ମେଧାବୀ ଯୁବକ-ଯୁବତୀମାନେ ବ୍ୟାପକ ଆନ୍ଦୋଳନରେ ସାମିଲ ହେବେ ଏବଂ ସରକାରଙ୍କ ଉପରେ ଚାପ ବୃଦ୍ଧି କରିବେ। ଏହି ବୟାନ ପରେ ରାଜ୍ୟରେ ଚାକିରି ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।ଯୁବବର୍ଗଙ୍କ ଚାକିରି ଦାବି, ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ଖାଲି ପଦବୀ ପୂରଣକୁ ନେଇ ଆଗାମୀ ଦିନରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ରହିଛି।