
ବାଲିଅନ୍ତାର ଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ଘଟଣାରେ ରହସ୍ୟ ଆହୁରି ଗାଢ଼ ହେଉଛି। ଘଟଣାର ସବୁଠୁ ବଡ଼ ପ୍ରମାଣ ଭାବେ ଗଣାଯାଉଥିବା ଡାଲା ଟ୍ରକର କୌଣସି ସୁରାକ ଏପର୍ଯ୍ୟନ୍ତ ମିଳୁନାହିଁ। ହାତ ଓ ଗୋଡ଼ ବନ୍ଧା ଅବସ୍ଥାରେ ବାଉଁଶରେ ବାନ୍ଧି ସୌମ୍ୟଙ୍କୁ ଏହି ଡାଲା ଟ୍ରକରେ ହସ୍ପିଟାଲ ନିଆଯାଇଥିବା ଅଭିଯୋଗ ରହିଛି। ହେଲେ ଘଟଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ନା ଗାଡ଼ିର ପତା ମିଳୁଛି, ନା ଡ୍ରାଇଭରଙ୍କର।
ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଏବେ ଏହି ଡାଲା ଟ୍ରକକୁ ଖୋଜିବାରେ ନୟାନ୍ତ ହୋଇପଡ଼ିଛି। କାରଣ ଏହି ଗାଡ଼ି ଏବଂ ତାହାର ଡ୍ରାଇଭରକୁ ଘଟଣାର ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ଓ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଦେଖାଯାଉଛି। ତଦନ୍ତକାରୀ ଅଧିକାରୀମାନେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି। ଏପରିକି ବାଳକାଟି ହସ୍ପିଟାଲକୁ ଯାଇ ସେଠାର ସିସିଟିଭି ମଧ୍ୟ ଖୋଳତାଡ଼ କରାଯାଇଛି। ତଥାପି ଗାଡ଼ିର କୌଣସି ସ୍ପଷ୍ଟ ସୁରାକ ମିଳିନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କ୍ରାଇମ ସ୍ପଟରୁ ହସ୍ପିଟାଲ ନେବା ବେଳେ ଡାଲା ଟ୍ରକରେ ଅନେକ ଲୋକ ଥିଲେ। ଅଭିଯୋଗ ହେଉଛି, ରାସ୍ତାରେ ମଧ୍ୟ ସୌମ୍ୟରଞ୍ଜନଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଇଥିଲା। ଏହି ମାଡ଼ ଓ ନିର୍ଯାତନା ମଧ୍ୟରେ ଗାଡ଼ି ଭିତରେ ହିଁ ସୌମ୍ୟଙ୍କ ଶେଷ ନିଶ୍ୱାସ ଯାଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଗାଡ଼ିରେ କିଏ କିଏ ଥିଲେ, କିଏ ସୌମ୍ୟଙ୍କୁ ମାଡ଼ ମାରିଥିଲେ ଓ ଗାଡ଼ି ଭିତରେ କଣ ଘଟିଥିଲା—ସେସବୁ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ତେଜ କରିଛି।