ଆମେରିକା-ଇରାନ ସମ୍ପର୍କରେ ନୂଆ ମୋଡ଼, ଖେମିନିଙ୍କୁ ଭେଟିବାକୁ ଚାହାଁନ୍ତି ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ସହ ଭେଟିବା ଓ ଆଲୋଚନା କରିବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ହ୍ୱାଇଟ୍ ହାଉସରେ ଗୁରୁବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଏପରି ଏକ ବୈଠକ ଚାହୁଁନଥିଲେ, କିନ୍ତୁ ପରିସ୍ଥିତି ଅନୁକୂଳ ହେଲେ ଏହାକୁ ସମ୍ମାନର ବିଷୟ ବୋଲି ମନେ କରିବେ।

ଟ୍ରମ୍ପ କହିଛନ୍ତି, ମୁଁ ତାଙ୍କୁ ଭେଟିବାକୁ ଚାହୁଁ ନଥିଲି, କିନ୍ତୁ ଯଦି ଭେଟିବି, ତେବେ ଏହାକୁ ସମ୍ମାନର ବିଷୟ ଭାବେ ନେବି।” ସେ ଆହୁରି କହିଛନ୍ତି ଯେ ୱାଶିଂଟନ ଓ ତେହରାନ ମଧ୍ୟରେ କୌଣସି ଚୁକ୍ତି ସମ୍ପନ୍ନ ହେଲେ ଭବିଷ୍ୟତରେ ଏକ ଉଚ୍ଚସ୍ତରୀୟ ବୈଠକ ସମ୍ଭବ ହୋଇପାରେ।

ସମ୍ପ୍ରତି ଆମେରିକା ଇରାନ ସମ୍ପର୍କକୁ ନେଇ ଚାଲିଥିବା ଆଲୋଚନା ଓ ସମ୍ଭାବ୍ୟ ଚୁକ୍ତିକୁ ନଜରରେ ରଖି ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ବିଶ୍ଳେଷକମାନଙ୍କ ମତରେ, ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ଏପରି ସମ୍ଭାବ୍ୟ ବୈଠକ କୂଟନୈତିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆଣିପାରେ।