ଅପରାଧୀଙ୍କ ଅସ୍ତ୍ର ପାଲଟିଛି AI ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI, ଯେଉଁ ଟେକ୍ନୋଲୋଜିକୁ ମଣିଷର କାମ ସହଜ କରିବା, ନୂଆ ଗବେଷଣା କରିବା ଓ ଭବିଷ୍ୟତକୁ ଆହୁରି ସ୍ମାର୍ଟ କରିବା ପାଇଁ ତିଆରି କରାଯାଇଛି, ଏବେ ସେହି AIକୁ ନେଇ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। କାରଣ AIର ଶକ୍ତି ଯେତିକି ବଢୁଛି, ଏହାର ଦୁରୁପଯୋଗର ବିପଦ ମଧ୍ୟ ସେତିକି ବଢୁଛି। ପ୍ରସିଦ୍ଧ AI କମ୍ପାନୀ Anthropicର Threat Intelligence Reportକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟରେ ଦାବି କରାଯାଇଛି ଯେ, ଅପରାଧୀ ଓ ହ୍ୟାକର ଗୋଷ୍ଠୀମାନେ AIକୁ କେବଳ ସାଧାରଣ କାମରେ ନୁହେଁ, ବରଂ ଅତ୍ୟନ୍ତ ସମ୍ବେଦନଶୀଳ ଓ ବିପଜ୍ଜନକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ସବୁଠୁ ବଡ଼ ଚିନ୍ତାର କଥା ହେଉଛି ଯୁଦ୍ଧ ଓ ସାମରିକ କ୍ଷେତ୍ରରେ AIର ଦୁରୁପଯୋଗ କରାଯାଉଛି। ଗାଇଡେଡ୍ ରକେଟ୍ ଓ ବାଲିଷ୍ଟିକ୍ ମିସାଇଲ୍ ଭଳି ଅସ୍ତ୍ର ସହ ଜଡ଼ିତ ସଫ୍ଟୱେର୍ ବିକାଶରେ AIକୁ ବ୍ୟବହାର କରାଯାଉଥିବା ନେଇ ରିପୋର୍ଟରେ ଚିନ୍ତା ପ୍ରକାଶ ପାଇଛି। ଅର୍ଥାତ୍ ଯେଉଁଠି ଟେକ୍ନୋଲୋଜି ମଣିଷର ସୁରକ୍ଷା ପାଇଁ କାମ କରିବା କଥା, ସେଠି ଏହା ଯଦି ଯୁଦ୍ଧର ଶକ୍ତି ବଢ଼ାଇବାର ମାଧ୍ୟମ ପାଲଟିଯାଏ, ତେବେ ବିପଦ କେତେ ବଡ଼ ହୋଇପାରେ ତାହା ସହଜରେ ଅନୁମାନ କରାଯାଇପାରେ। କେବଳ ଏତିକି ନୁହେଁ। ଇରାନ ସମର୍ଥିତ ବୋଲି ଅଭିହିତ କିଛି ହ୍ୟାକର ଗୋଷ୍ଠୀ ଆମେରିକୀୟ ସାମରିକ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଅଧ୍ୟୟନ କରିବା ଏବଂ ସମ୍ଭାବ୍ୟ ଆକ୍ରମଣ ପାଇଁ ତଥ୍ୟ ପ୍ରସ୍ତୁତ କରିବାରେ AIର ସହାୟତା ନେଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।କାରଣ ହ୍ୟାକରମାନେ ମଧ୍ୟ AIର ବିଶ୍ଳେଷଣ କ୍ଷମତାକୁ ନିଜ ଅପରାଧୀକ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରୁଛନ୍ତି।

ଆଉ ଏକ ଭୟଙ୍କର ଦିଗ ହେଉଛି ବାୟୋସିକ୍ୟୁରିଟି। ଜୀବାଣୁ କିମ୍ବା ଚିକିତ୍ସା ସମ୍ପର୍କିତ ବିପଜ୍ଜନକ ଗବେଷଣାରେ AIର ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇବାକୁ ଚେଷ୍ଟା କରାଯାଇଥିବା ନେଇ ମଧ୍ୟ ରିପୋର୍ଟରେ ସତର୍କ କରାଯାଇଛି। ଅର୍ଥାତ୍ ଯେଉଁ AI ସିଷ୍ଟମ୍‌କୁ ବିପଜ୍ଜନକ ତଥ୍ୟ ଦେବାରୁ ରୋକିବା ପାଇଁ ସୁରକ୍ଷା କଟକଣା ଲଗାଯାଇଛି, ଅପରାଧୀମାନେ ସେହି କଟକଣାକୁ ମଧ୍ୟ ଏଡ଼ାଇବାର ରାସ୍ତା ଖୋଜୁଛନ୍ତି। ସାଇବର ଅପରାଧ କ୍ଷେତ୍ରରେ ମଧ୍ୟ AIର ଭୂମିକା ନେଇ ଚିନ୍ତା ବଢ଼ିଛି। ବିପୁଳ ପରିମାଣର ତଥ୍ୟକୁ ଦ୍ରୁତ ଭାବରେ ବିଶ୍ଳେଷଣ କରିବା, ଲୋକଙ୍କ ସହ ହୋଇଥିବା ଯୋଗାଯୋଗକୁ ଅଧ୍ୟୟନ କରିବା ଏବଂ ଟାର୍ଗେଟ୍ ଚିହ୍ନଟ କରିବାରେ AIର କ୍ଷମତାକୁ ଅପରାଧୀମାନେ ବ୍ୟବହାର କରୁଥିବା ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି। ତେବେ ସବୁଠୁ ବଡ଼ କଥା ହେଉଛି—AI ନିଜେ ଅପରାଧୀ ନୁହେଁ। ଏହା ଏକ ଟେକ୍ନୋଲୋଜି। ଏହାକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ସେଇଟା ହିଁ ମୁଖ୍ୟ ପ୍ରଶ୍ନ। ମଣିଷର ଜୀବନ ବଞ୍ଚାଇବାରେ AI ଯେତିକି ଶକ୍ତିଶାଳୀ, ଭୁଲ୍ ହାତରେ ପଡ଼ିଲେ ସେତିକି ବିପଜ୍ଜନକ ହୋଇପାରେ। ତେଣୁ ଆଗକୁ AIର ବିକାଶ ସହିତ ଏହାର ସୁରକ୍ଷା, ନିୟମ ଓ ନିରୀକ୍ଷଣ ମଧ୍ୟ ସେତିକି ମଜବୁତ କରିବାକୁ ପଡ଼ିବ। ନହେଲେ ଆଜି ଯେଉଁ AIକୁ ଆମେ ଭବିଷ୍ୟତର ସାଥୀ ବୋଲି ଦେଖୁଛେ, କାଲି ସେହି AI ଯଦି ଅପରାଧୀଙ୍କ ହାତରେ ସବୁଠୁ ବଡ଼ ଅସ୍ତ୍ର ପାଲଟିଯାଏ , ତେବେ ବିପଦ କେତେ ଭୟଙ୍କର ହେବ, ତାହା ଏବେଠୁ ଚିନ୍ତା କରିବାର ସମୟ ଆସିଛି।