ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ହୋଇଛି ଚିନ୍ତାର କାରଣ। ୱାର୍ଲ୍ଡ ମେଟେରୋଲୋଜି ସାଇନ୍ସ ଅର୍ଗାନାଇଜେସନ ବା ଡବ୍ଲୁଏମଏସଓର ସଦ୍ୟତମ ରିପୋର୍ଟ ପୁଣି ଥରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଦିଗରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ କରିଛି। ସମୁଦ୍ରର ଗଭୀରରୁ ଗଭୀରତମ ପ୍ରଦେଶରୁ ପର୍ବତର ଉଚ୍ଚତମ ଶୀଖର ଯାଏଁ ଜଳବାୟୁ ପରିବର୍ତ୍ତନ ନିଜ ପରିଧି ବଢାଇ ଚାଲିଛି। ଯାହାର ଫଳ ସ୍ୱରୂପ ଗ୍ରୀଷ୍ମ ପ୍ରବାହ, ଦୁର୍ବିକ୍ଷ, ବନ୍ୟା, ମରୁଡି, ଭୂସ୍ଖଳନ, ଜଙ୍ଗଲ ନିଆଁର ପ୍ରଭାବ ଭୋଗୁଛି ସାରା ବିଶ୍ୱ।
ଦ ଷ୍ଟେଟ ଅଫ ଦ ଗ୍ଲୋବାଲ କ୍ଲାଇମେଟ 2022 ନାମକ ରିପୋର୍ଟ ଦର୍ଶାଉଛି କି, ଉଷ୍ମତାକୁ ଶୋଷି ନେଉଥିବା ଗ୍ରୀନହାଉସ ଗ୍ୟାସ ରେକର୍ଡସ୍ତରରେ ପହଞ୍ଚି ଯିବା କାରଣରୁ ଭୂମି, ସମୁଦ୍ର ଓ ଜଳବାୟୁକୁ ନେଇ ବିଶ୍ବସ୍ତରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ରିପୋର୍ଟରୁ କୁହାଯାଇଛି କି, ଗତ 8 ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡଠାରୁ ଅଧିକ ରହିଆସୁଛି। ଏମିତି କି, 2022ର ଗ୍ଲେସିୟର ତରଳିବା ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପୁଣି ରେକର୍ଡ କରିଛି। ବିଗତ 8 ବର୍ଷରେ ବୈଶ୍ୱିକ ହାରାହାରି ତାପମାତ୍ରା ରେକର୍ଡଠାରୁ ଅଧିକ ରହିଛି। 2022ରେ ଏହା 1850-1900 ମଧ୍ୟରେ ହାରାହାରି ତାପମାତ୍ରାଠାରୁ 1.5 ଡିଗ୍ରୀ ସେଲ୍ସିୟସରୁ ଉପରକୁ ଚାଲି ଯାଇଥିଲା।
ରିୟଲ ଟାଇମ ଡାଟାରୁ ଜଣାପଡୁଛି କି, କାର୍ବନ ଡାଇଅକ୍ସାଇଡ, ମିଥେନ ଓ ନାଇଟ୍ରସ ଅକ୍ସାଇଡ ପରି ତିନ ଗ୍ରୀନ ହାଉସ ଗ୍ୟାସ ସ୍ତର 2022ରେ ବୃଦ୍ଧି ପାଇବାରେ ଲାଗିଛି। 2022ରେ ଲା ନିନାର ସ୍ଥିତି ରହିବା ସତ୍ତ୍ୱେ ବିଶ୍ୱ ହାରାହାରି ସମୁଦ୍ର ଜଳସ୍ତରରେ ବୃଦ୍ଧି ଜାରି ରହିଛି । ସମୁଦ୍ର ପୃଷ୍ଠର 58% ଅଂଶ 2022 କାଳରେ ଏକ ସାମୁଦ୍ରିକ ହିଟ ୱେଭ ଅନୁଭବ କରିଛି। ଗ୍ରୀଷ୍ମ କାଳରେ ଚୀନ ଓ ୟୁରୋପରେ ହିଟ ୱେଭ ସର୍ବାଧିକ ପ୍ରଭାବିତ କରିଛି। ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନର କୁପରିଣାମ ଦେଖିବାକୁ ମିଳିଛି। ମନସୁନ କାଳରେ ବିଭିନ୍ନ ପ୍ରକାରରେ ବନ୍ୟା ଦେଖିବାକୁ ମିଳିଛି ଭାରତରେ। ଜୁନରେ ବିଶେଷକରି ଭାରତର ଉତ୍ତର-ପୂର୍ବାଞ୍ଚଳରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳୁଛି। ଏହି ସମୟରେ ବନ୍ୟା ଓ ଭୂସ୍ଖଳନରୁ 700ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବଜ୍ରାଘାତରେ 900ରୁ ଅଧିକ ଲୋକ ପ୍ରାଣ ହାନି ଘଟିଛି।