କିଏ ହେବେ ମୁଖ୍ୟମନ୍ତ୍ରୀ, ଶିବକୁମାର ନା ସିଦ୍ଧରମୟା ?

ଆସିଲା କର୍ଣ୍ଣାଟକ ନିର୍ବାଚନ ଫଳାଫଳ । ସଂଖ୍ୟା ଗରିଷ୍ଠତାର ବହୁତ ଆଗରେ ରହିଛି କଂଗ୍ରେସ ପାର୍ଟି । ହେଲେ ଏବେ ଦଳରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଛି ବିଚାର ବିମର୍ସ । କର୍ଣ୍ଣାଟକ କଂଗ୍ରେସରେ ରହିଛନ୍ତି ଦୁଇ ଜଣ ଟାଣୁଆ ନେତା । ଜଣେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଦ୍ଧରମୟା ଆଉ ଜଣେ ହେଲେ ଡିକେ ଶିବକୁମାର । କଂଗ୍ରେସ ନିର୍ବାଚନ ପୂର୍ବରୁ ଦଳର ଚେହେରା କାହାକୁ କରାଯିବ ସେନେଇ କୌଣସି ଘୋଷଣା କରିନଥିଲା । ଦେବେ ଦଳର ବିଜୟ ପରେ ସିଏମ ଚେହେରାକୁ ନେଇ ସସପେନ୍ସ ଜାରି ରହିଛି । ନିର୍ବାଚନ ପୂର୍ବରୁ ଶିଦ୍ଧରମୟା ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଏକ ଭାବନାତ୍ମକ କାର୍ଡ ଖେଳିଥିବା ବେଳେ ସେପଟେ ଡିକେ ଶିବକୁମାରଙ୍କ ଦଳପ୍ରତି ଥିବା ଅବଦାନକୁ କେହି ଅଗ୍ରାହ୍ୟ କରିପାରିବେ ନାହିଁ । ତେଣୁ, ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୟା ଏବଂ ଡିକେ ଶିବକୁମାର ପ୍ରବଳ ଦାବିଦାର ରହିଛନ୍ତି । ଡିକେ ଶିବକୁମାର ଦଳର ପ୍ରଦେଶ ଅଧ୍ୟକ୍ଷ ଥିବା ବେଳେ ସିଦ୍ଧରମୟା ହେଉଛନ୍ତି ଦଳର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ।
ତେଣୁ, କଂଗ୍ରେସ ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାଛିବା ଏତେ ସହଜ ହେବ ନାହିଁ ।

ଏହା ପୂର୍ବରୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦେଇଥିବା କଥା ରଖିପାରିଛି । ମୁଁ କର୍ଣ୍ଣାଟକବାସୀଙ୍କୁ ସେମାନଙ୍କ ଭଲପାଇବା ପାଇଁ ଅଶେଷ ଧନ୍ୟବାଦ ଜଣାଉଛି । ତାଙ୍କ ଗୋଡ ତଳେ ପଡି ତାଙ୍କ ଆଶୀର୍ବାଦ ମାଗୁଛି । ଆଉ ଏହି ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

ସେହିପରି ସିଦ୍ଧରମୟା କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ ପ୍ରଚାର ବେଳେ କହିଥିଲୁ ଯେ, ଆମକୁ ୧୩୦ରୁ ଅଧିକ ଆସନ ମିଳିବାକୁ ଯାଉଛି । ଏହା ଆମ ପାଇଁ ବଡ ବିଜୟ । କର୍ଣ୍ଣାଟକବାସୀ ପରିବର୍ତ୍ତନ ଚାହୁଁଥିଲେ ସେମାନେ ଭାଜପା ସରକାର ଠାରୁ ମୁକ୍ତି ଚାହୁଁଥିଲେ । ଏହା ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ମଜବୁତ କରିବ । ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ଏହା ଦଳ ପାଇଁ ବହୁତ ସହାୟକ ହେବ । ଏଥିସହିତ ଜନସାଧାରଣଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *