Tag: #Weather

  • ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା

    ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା

    ରାଜ୍ୟକୁ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା। ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବହୁ ଜିଲ୍ଲାରେ ଘଡଘଡି ସହ ବର୍ଷା  ଓ ଘୂର୍ଣ୍ଣିଝଡ ହେବା ନେଇ ସୂଚନା ଦେଇଥି ପାଣିପାଗ ବିଭାଗ। ସୂଚନା ମୁତାବକ,  ଛତିଶଗଡ଼ ଉପର ଦେଇ ପଶ୍ଚିମ ବିହାରରୁ ଉତ୍ତର ତେଲେଙ୍ଗାନା ପର୍ଯ୍ୟନ୍ତ ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା କାଲି (ରବିବାର) ମଧ୍ୟାହ୍ନ ସୁଦ୍ଧା ଉତ୍ତର, ଦକ୍ଷିଣ, ଆଭ୍ୟନ୍ତର, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୫୦ କିଲୋମିଟର ବେଗରେ ପବନ ବହିବ।

    ଏଥିସହ ଏହି ସମୟରେ ବଜ୍ରପାତ, ଘଡ଼ଘଡ଼ି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା ଥିବାରୁ, ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଆହୁରି ଘଡଘଡି ଓ ବିଜୁଳି ସମୟରେ ଗଛ ଓ ଖାଲି ଜାଗାରେ ନ ରହି କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

    ସେହିପରି ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୫ ଦିନ ଭିତରେ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୨୪ ଘଣ୍ଟା ଭିତରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା  ୪୨ ଡିଗ୍ରି କିମ୍ବା ତା’ଠାରୁ ଅଧିକ ହେବାର ସମ୍ଭାବନା ଦେଖାଦେଇଛି। ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା ପରି ରାଜ୍ୟର ଆଭ୍ୟନ୍ତରୀଣ କେତେକ ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ।

    ତେଣୁ, ଏହି ସବୁ ଜିଲ୍ଲାରେ ଲୋକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ଘରୁ ନ ବାହାରିବାକୁ କୁହାଯାଇଛି। ଯଦି ନିହାତି ଦରକାର, ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

  • ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ଲୋକଙ୍କ ପାଇଁ ଟେନସନର କାରଣ ପାଲଟିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଲୋକେ ଘରୁ ବାହାରିବା ପାଇଁ ଆଉ ମନ ବଳାଉନାହାଁନ୍ତି । ପୁଣି ଅଘୋଷିତ ବିଦ୍ୟୁତ୍ କାଟ୍ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଉଛି । ଗୁଳୁଗୁଳି ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ ଟେନସନକୁ ଦ୍ୱିଗୁଣିତ କରିଛି ।

    ପଶ୍ଚିମରେ ତାତି ବଢୁଥିବା ବେଳେ ଉପକୂଳରେ କିନ୍ତୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ଘଟୁଛି । ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ତେଣୁ ସକାଳୁ ଗରମ ସହିତ ଅପରାହ୍ମରେ ସାମାନ୍ୟ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ତାପମାତ୍ରା କିନ୍ତୁ ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।
    ଖରା ସହିତ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି ।

    କୌଣସି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ମଧ୍ୟ ହେଉଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଆସନ୍ତା କିଛି ଦିନ ଯାଏ ତାପମାତ୍ରା ବଢ଼ିବ, ଗୁଳୁଗୁଳି ହେବ । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

  • ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

    ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

    ତାତିରୁ କେବେ ମିଳିବ ତ୍ରାହି । ଏମିତି ଅନେକ ପ୍ରଶ୍ନ ଥିବାବେଳେ ଆଜି ସକାଳୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ତାତି ଟିକେ କମିଛି । କାଳବୈଶାଖୀ ବର୍ଷା ଆଶଙ୍କା ଥିବାବେଳେ ରାଜ୍ୟବାସୀଙ୍କୁ ସକାଳୁ ସକାଳୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପାଗ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

    ଆଜି ସକାଳୁ ସକାଳୁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦିନର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ ।

    ଗ୍ରୀଷ୍ମଲହରୀ ପାଇଁ ଦିଆଯାଇଥିବା ସତର୍କ ସୂଚନାକୁ ହଟାଇଦେଇଛି ପାଣିପାଗ ବିଭାଗ । ଆଜି ସକାଳେ ଥଣ୍ଡା ପବନ ବହିଥିବା ବେଳେ ପାଗ ଟିକେ ମେଘୁଆ ଥିଲା । ସେପଟେ, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ଗତ କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ୨୮ଟି ସହରର ତାପମାତ୍ରା ୪୦ ଉପରେ ଥିବାବେଳେ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ଥିଲା ।