Tag: #PresidentVisit

  • ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଦ୍ୟୁତ୍ କଟିବା ଘଟଣା, ପ୍ରତିବାଦରେ ବନ୍ଦ ପାଳନ

    ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଦ୍ୟୁତ୍ କଟିବା ଘଟଣା, ପ୍ରତିବାଦରେ ବନ୍ଦ ପାଳନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ବେଳେ ୯ ମିନିଟ୍ ବିଦ୍ୟୁତ୍ କଟିଯାଇଥିଲା । ଅନ୍ଧାରରେ ନିଜ ଅଭିଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି । ହେଲେ ଏଯାଏ କୌଣସି ପଦକ୍ଷେପ ନିଆଗଲାନି ଯାହା ଅତ୍ୟନ୍ତ ଲାଜର ବିଷୟ । ଏହାର ପ୍ରତିବାଦରେ ଆଜି ରାଇରଙ୍ଗପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି ।

    ବନ୍ଦ ପାଳନ ଯୋଗୁଁ ବସ୍, ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ଏଥିରେ ପଶ୍ଚିମ ମୟୂରଭଞ୍ଜ ବିଜେପି ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ନେତା ମନୋରଞ୍ଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ସାଂସଦ ପ୍ରତିନିଧି ବରୁଣ ଦେ, ସଂଜୟ ନାୟକ, ନାରୀନେତ୍ରୀ ମିଥିଳା ଟୁଡୁ, ମିନତୀ ବଶା ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

    ଗତ ୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବା ବେଳେ ୯ ମିନିଟ୍ ଯାଏ ବିଦ୍ୟୁତ୍ କଟିଯାଇଥିଲା । ଏହାର କୌଣସି ବ୍ୟବସ୍ଥା କରାଯାଇନଥିଲା । ଅନ୍ଧାରରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଯାହା ଅପମାନର ବିଷୟ । ଏଥିପାଇଁ କେହି ବି ଅନୁତାପ କଲେନି କି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଇଛି ।

    ଏଭଳି ବନ୍ଦ ପାଳନକୁ ସମର୍ଥନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ରାଷ୍ଚ୍ରପତିଙ୍କୁ ଅପମାନିତ ପରେ ଏଯାଏ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେନି । କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ତେଣୁ କାର୍ଯ୍ୟାନୁଷ୍ଠାନରେ ପ୍ରତିବାଦରେ ହୋଇଥିବା ବନ୍ଦ ପାଳନକୁ ମୁଁ ସମର୍ଥନ ଜଣାଉଛି ବୋଲି କହିଛନ୍ତି ସୁର ରାଉତରାୟ ।

  • ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଦୁଇ ବାବୁ ଟିପିଏନଓଡିଏଲର ସିଇଓ ଭାସ୍କର ସରକାର ଓ ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ ରାଇରଙ୍ଗପୁରଠାରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଅଭିଭାଷଣ ଦେଲେ ଯାହାକୁ ନେଇ ନିନ୍ଦିତ ହେବାକୁ ପଡ଼ିଛି ।

    ଏଭଳି ଘଟଣାକୁ ୩ ଦିନ ପରେ ହେଲାଣି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଛି । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ସଫେଇ ଦେଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା,ଅସୌଜନ୍ୟତା ଓ ଅହଂକାରର ଏହା ଶ୍ରେଷ୍ଠ ନିଦର୍ଶନ । ଏଭଳି ଘଟଣାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ମଧ୍ୟ କୌଣସି ରିଆକ୍ସନ ନାହିଁ । ୭ ଦିନ ଆଗରୁ ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସରବରାହର ଯାଞ୍ଚ ହୋଇଥିବା ବେଳେ ଏଭଳି ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

    ସେପଟେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କିନ୍ତୁ ଆକ୍ସନ ମୁଡରେ ଅଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।