Tag: #EVM

  • ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

    ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

    ଦବଙ୍ଗ ନେତା ଗଣେଶ ଜଗଦ୍ଦେବ ଗିରଫ। ବୁଥରେ ଦବଙ୍ଗଗିରି ଗଣେଶଙ୍କୁ ପଡିଲା ମହଙ୍ଗା। ଗତ ମଧ୍ୟରାତ୍ରରେ ଗିରଫ କଲା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଗଲେ ଜେଲ। ତାଙ୍କ ବିରୋଧରେ ଲାଗିଛି ୧୬ଟି ସଂଗୀନ ଦଫା। ଗତକାଲି ଅପରାହ୍ନରେ ଚିଲିକା ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବା ଗଣେଶ ଜଗଦ୍ଦେବ ଖୋର୍ଦ୍ଧା ବୋଲଗଡ ବ୍ଲକ କାଉଁରିପାଟଣା ବୁଥରେ ପସି ହଙ୍ଗାମା କରିବା ସହ ଇଭିଏମ ଭାଙ୍ଗିଥିଲେ ଯାହାକୁ ନେଇ ପ୍ରିଜାଇଡିଂ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି।

    ତାଙ୍କ ବିରୋଧରେ ୧୬ ଟି ଦଫା ଲଗାଯାଇ ତାଙ୍କୁ ପୋଲିସ ଗିରଫ କରିଥିଲା। ତେବେ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗତକାଲି ପ୍ରାୟ ସାଢେ ତିନିଟାରେ ବୁଥରେ ପସି ଜଗଦ୍ଦେବ ପ୍ରିଜାଇଡିଂ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ସେଠାରେ ଥିବା ଇଭିଏମ ଭାଙ୍ଗି ସେଠାରୁ ଖସି ପଳାଇଥିଲେ। ହେଲେ କିଛି ବାଟରେ ତାଙ୍କୁ କାବୁ କରିନେଇଥିଲା ପୋଲିସ। ପୋଲିସ ତାଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପରେ ଅଟକ ରଖିବାରୁ ଧାରଣାରେ ବସିଥିଲେ ଜଗଦ୍ଦେବ। ସେ କିଛି କରି ନାହାନ୍ତି କହିବା ସହ ପୋଲିସ ଓ ପିର୍ଜାଇଡିଂ ଅଧିକାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସିସିଟିଭି ଯାଞ୍ଚ କରିବା ଦାବିରେ ଅଡିବସିଥିଲେ ଜଗଦ୍ଦେବ। ସେପଟେ ସମର୍ଥକମାନେ ଜଗଦ୍ଦେବଙ୍କୁ ମୁକୁଳେଇବା ପାଇଁ ବୋଲଗଡ ଭାଲିଆବାଡି ଗାଁରେ ଘେରାବନ୍ଦୀ କରି ରଖିଥିଲେ। ଏହି ଖବର ପାଇ ଉପଜିଲ୍ଲାପାଳ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ସମର୍ଥକମାନେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ଏମିତି କି ତାଙ୍କୁ ଠେଲାପେଲା କରିବା ସହ ତାଙ୍କ ସହ ତାଙ୍କ ଉପସ୍ଥିତିରେ ଅସଭ୍ୟ ଭାଷାରେ ଗାଲିମନ୍ଦ କରିଥିଲେ। ତେବେ ବୁଥର ପ୍ରିଜାଇଡିଂ ଅଧିକାରୀ ଏନେଇ ଥାନାରେ ଗୋଟିଏ ଅଭିଯୋଗ କରିବାରୁ ଜଗଦ୍ଦେବଙ୍କୁ ରାତିରେ ଗିରଫ କରିଛି ପୋଲିସ।

  • ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ଉଦ୍ୟମ

    ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ଉଦ୍ୟମ

    ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ ହୋଇଛି । ଏହି କେନ୍ଦ୍ରରେ ଇଭିଏମ ଏବଂ ଭିଭିପାଟ ପ୍ରଦର୍ଶନ ସହ ପୋଲିଂ ବୁଥରେ ଭୋଟ ଦେବାକୁ ନେଇ ଜନସାଧାରଣଙ୍କୁ ସଚେତନତା କରାଯିବ ।

    ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଦଣ୍ଡସେନା ଏହି କେନ୍ଦ୍ର ଉଦଘାଟନ କରିବା ସହ ୪ ଟି ଇଭିଏମ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ମୋବାଇଲ ଭ୍ୟାନ ଗୁଡିକ ୧୪ ଟି ବ୍ଲକ ଏବଂ ସମସ୍ତ ପୌରାଞ୍ଚଳ ବୁଲିବ । ଏହି ଭ୍ୟାନ ଗୁଡିକ ଜିଲ୍ଲାର ସମସ୍ତ ଭୋଟ ଦାନ କେନ୍ଦ୍ର ଗୁଡିକ ବୁଲିବ ଏବଂ ସମ୍ପୃକ୍ତ ଅଧିକାରୀ ମାନେ ଭୋଟର ମାନଙ୍କୁ ସଚେତନ କରାଇବ । ମକ ପୋଲିଂ ପରେ ଭୋଟର ମାନେ କାହାକୁ ଭୋଟ ଦେଲେ ଦେଖିପାରିବେ ।

    ଏହା ଦ୍ୱାରା ଜଣେ ନିର୍ଭୁଲ ଭାବେ ଭୋଟ ଦେଇପାରିବ । ତେବେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ମକ କାର୍ଯ୍ୟକ୍ରମ ଚାଲିବ | ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ , ଆସିଷ୍ଟାଣ୍ଟ କଲେକ୍ଟର ଫାଲ୍ଗୁନୀ ଶବର , ବଲାଙ୍ଗୀର ବିଡିଓ ଶରତ କୁମାର ସେଠୀ , ପୂଇନ୍ତଳା ବିଡିଓ ଅମରେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

  • ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

    ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

    ଆଉ ମାତ୍ର କେଇଟା ମାସକୁ ଅପେକ୍ଷା । କାରଣ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତତି ଆରମ୍ଭ ହେଲାଣି । ଦଳୀୟ ନେତା ଓ କର୍ମୀ ବିଭିନ୍ନ ପ୍ରସଙ୍ଗରେ ଭୋଟ୍ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କଲେଣି । ସେପଟେ, ନିର୍ବାଚନ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜାତୀୟ ନିର୍ବାଚନ କମିଶନ ।

    ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଭୋଟିଂ ‌ମେସିନ୍‌ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଜଣେ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ କେରଳର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଭାରତରେ ଏହି ଯାଞ୍ଚ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଚାଲିବ ।

    ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ ସୁରତର ସେସନ୍ କୋର୍ଟ । ତେଣୁ ତାଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋ‌ଷଣା କରାଯାଇଥିଲା । ଫଳରେ ରାହୁଲ ପ୍ରତିନିଧିତ୍ୱ କରୁଥିବା କେରଳର ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ଖାଲି ପଡ଼ିଛି ।

    ସେଠାରେ ମକ୍‌ ପୋଲ୍ ଚାଲିଥିବା କହିଛନ୍ତି ନିର୍ବାଚନ କାର୍ଯ୍ୟକର୍ତ୍ତା । ପ୍ରତ୍ୟେକ ଯାଞ୍ଚ ପ୍ରକ୍ରିୟା ପାଇଁ କ୍ୟାଲେଣ୍ଡର୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ଦିନରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ଗୁଡ଼ିକ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଏବେଠୁ ଉଦ୍ୟମ ଆରମ୍ଭ ହେଲାଣି ।