Student Death : ରାତିର ଅନ୍ଧାରରେ ଛକିଥିଲା ମୃତ୍ୟୁ, ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଜୀବନ!

ସାଙ୍ଗମାନଙ୍କ ସହ ମଜାମସ୍ତି କରିବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, ସେହି ଖୁସିର ମୁହୂର୍ତ୍ତ ଜୀବନର ଶେଷ ମୁହୂର୍ତ୍ତ ପାଲଟିଯିବ। ରାତିର ଅନ୍ଧାରରେ ମୃତ୍ୟୁର ଫାଶ ପାଲଟିଲା ବିଦ୍ୟୁତ୍ ତାର। ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଦୁଇଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ।

ସୂଚନା ଅନୁସାରେ, ରଙ୍ଗାରେଡ୍ଡୀ ଜିଲ୍ଲାର ମୋଇନାବାଦ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତ ଦୁଇ ଛାତ୍ର ହେଲେ ୨୦ ବର୍ଷୀୟ ମୋକ୍ଷଚରଣ ଓ ଯଶୱନ୍ତ। ଉଭୟ କେ.ଜି. ରେଡ୍ଡୀ କଲେଜର ତୃତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିଲେ। କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପରେ ସେମାନେ ଅନ୍ୟ ସାଙ୍ଗମାନଙ୍କ ସହ ନିକଟସ୍ଥ ଚାଷଜମି ଅଞ୍ଚଳକୁ ଯାଇଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ଛାତ୍ରମାନେ ଚାଷଜମି ନିକଟରେ ମଦ୍ୟପାନ କରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଏକ ପୋଲିସ ପାଟ୍ରୋଲିଂ ଗାଡ଼ି ଯାଉଥିବା ଦେଖି ଛାତ୍ରମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ। ହେଲେ ଅନ୍ଧାରରେ ଚାଷଜମି ଚାରିପଟେ ଲଗାଯାଇଥିବା ବିଦ୍ୟୁତ୍ ତାରକୁ ଦେଖିପାରିନଥିଲେ। ଫଳରେ ମୋକ୍ଷଚରଣ ଓ ଯଶୱନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଜଣାପଡ଼ିଛି, ବଣୁଆ ଘୁଷୁରିଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଜଣେ ଚାଷୀ ଜମି ଚାରିପଟେ ବିଦ୍ୟୁତ୍ ତାର ଲଗାଇଥିଲେ। ସେହି ତାର ହିଁ ଦୁଇ ଯୁବକଙ୍କ ପାଇଁ କାଳ ସାଜିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣ ପରେ ମୃତ ଛାତ୍ରଙ୍କ ପରିବାର ଓ କଲେଜ ପରିସରରେ ଶୋକର ଛାୟା ଖେଳିଯାଇଛି