
ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ବିରଳ ଅଲିଭ ରିଡେଲ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା । ଏକ ସପ୍ତାହ ଧରି ଅଲିଭ ରିଡେଲ କଇଁଛ ବାବୁବାଲି ଓ ନାଶି–୨ରେ ସମୁହ ଅଣ୍ଡାଦାନ କରିଛନ୍ତି । ଏଥର ପାଗ ଅନୁକୂଳ ଥିବାରୁ କଇଁଛଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।
ଗହିରମଥା ଯାହା ବିରଳ ଅଲିଭ ରିଡେଲ କଇଁଛଙ୍କ ଏନ୍ତୁଡ଼ିଶାଳ । ଚଳିତବର୍ଷ ୫ ଲକ୍ଷ ୧୨ ହଜାର କଇଁଛ ସମୁହ ଅଣ୍ଡାଦାନ କରିଛନ୍ତି । ଗତବର୍ଷ ତୁଳନାରେ ଏଥର ୧୧ ହଜାର କଇଁଛ ଅଧିକ ରହିଛି ଯାହାକୁ ନେଇ ପରିବେଶବିତ୍ ଓ ପ୍ରାଣୀ ବିଜ୍ଞାନୀ ଖୁସି ହୋଇଛନ୍ତି । ପ୍ରତିବର୍ଷ ନଭେମ୍ବର ୧ରୁ ଗହିରମଥାରେ ମାଛ ମାରିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ କଟକଣା ଜାରି କରାଯାଏ । କାରଣ ବଂଶବିସ୍ତାର ପାଇଁ ଗହିରମଥା ସୁରକ୍ଷିତ ଥିବାରୁ ବିଦେଶୀ କଇଁଛଙ୍କ ଆଗମନ ହୋଇଥାଏ । ବେଳାଭୂମିରେ ୧.୫ରୁ ୨ ଫୁଟ୍ ଗାତ ଖୋଳି ପ୍ରତି କଇଁଛ ୮୦ରୁ ୧୦୦ଟି ଅଣ୍ଡା ଦେଇଥାନ୍ତି । ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ସେମାନେ ସମୁଦ୍ରକୁ ଚାଲିଯାଅନ୍ତି ।
ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ,କୋଷ୍ଟଗାଡ,ମେରାଇନ ପୋଲିସ୍ ନିୟୋଜିତ କରାଯାଉଛି କିନ୍ତୁ ଅମାନିଆ ମତ୍ସ୍ୟଜୀବୀଙ୍କ ଯୋଗୁଁ ହଜାର ହଜାର ବିରଳ କଇଁଛଙ୍କ ମୃତ୍ୟୁ ହେଉଛି । ତେଣୁ ବନ ବିଭାଗ କଟକଣାକୁ କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି ।