ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେଉଛି । ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ ମହାପ୍ରଭୁ । ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ । ତେଣୁ ଆଜି ମଧ୍ୟାହ୍ନ ଗୋଟାଏରୁ ଅପରାହ୍ଣ ୫ଟା, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ,ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା ।

ସେପଟେ, ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ତିନି ରଥର ଦଣ୍ଡା ଉପରେ ଭୂଇଁ ବସିବା ପରେ ଚାରିନାହାକା ଡେରା ହୋଇଛି । ପ୍ରତି ରଥରେ ଚାରିଟି ଲେଖାଏଁ ନାହାକା ଠିଆ କରାଯାଇଛି । ରଥ ଉପରେ ଛନ୍ଦା ଓ ଗୟଳ ଭିଡ଼ା କାର୍ଯ୍ୟ ମଧ୍ୟ ଜାରି ରହିଛି । ମହାପ୍ରଭୁଙ୍କ ତିନିରଥର ଚାରିନାହାକା ସହିତ ଜୋଖା ଭିଡ଼ା ହୋଇଛି । ଭୂଇଁ ଯୋଡ଼ା କାର୍ଯ୍ୟ ସରିବା ପରେ ପ୍ରତି ରଥରେ ତିନିଟି ଭୂଇଁ ଉଠିବ । ପ୍ରତି ରଥରେ ତିନି ଥାକରେ ତିନିଟି ଭୂଇଁରେ ମୋଟ ୩୦ଟି କାଠ ଯୋଡ଼ାଯିବ।

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ପାଇଁ ଦର୍ଶନରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । ମହାଲକ୍ଷ୍ମୀଙ୍କ ସମସ୍ତ ନୀତିକାନ୍ତି ଶେଷ ପରେ ପୁଣି ଥରେ ଏହି ଦର୍ଶନ ସ୍ବାଭାବିକ ହେବ । ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରତିଦିନ ମହାବାହୁଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ଆଜିର ନୀତିକାନ୍ତି ଯୋଗୁଁ ଦର୍ଶନରେ ସାମାନ୍ୟ ବିଳମ୍ବ ହେବ ।

Leave a Reply

Your email address will not be published. Required fields are marked *