ସରୁନି କର୍ଣ୍ଣାଟକ ନାଟକ, କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଦେଢ ଘଣ୍ଟାର ବୈଠକ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଦଉଡ଼ ମଧ୍ୟରେ ରାଜ୍ୟରେ ସରକାର ଗଠନ ଉପରେ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀ ଦିଲ୍ଲୀରେ ଖଡଗେଙ୍କ ବାସଭବନକୁ ଯାଇ କଂଗ୍ରେସ ମୁଖିଆଙ୍କ ସହ ପ୍ରାୟ ଦେଢ ଘଣ୍ଟା ବନ୍ଦ କୋଠରୀରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ଏବଂ କର୍ଣ୍ଣାଟକର ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ।

କଂଗ୍ରେସ ସଭାପତି ଖଡଗେ ସୋମବାର ଦଳର ସମସ୍ତ ୩ ପର୍ଯ୍ୟବେକ୍ଷକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି । କର୍ଣ୍ଣାଟକରେ କଂଗ୍ରେସ ବିଧାନସଭା ଦଳର ନେତା ଚୟନ କରିବାକୁ ଖଡଗେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଦେ, ଜିତେନ୍ଦ୍ର ସିଂ ଏବଂ ଦୀପକ ବାବରିଆଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲେ । ଏହି ତିନି ପର୍ଯ୍ୟବେକ୍ଷକ ଦଳର ନବ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ସେମାନଙ୍କର ପୃଥକ ଭାବରେ ମତ ଜାଣିବା ପରେ ସେମାନେ ଖଡଗେଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ଉଭୟ ସିଦ୍ଧରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।

ସିଦ୍ଧରମେୟ ସୋମବାର ନିଜେ ଦିଲ୍ଲୀ ଆସିଥିବା ବେଳେ ଡି.କେ ଶିବକୁମାର ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଶିବକୁମାର ସୋମବାର ଦିଲ୍ଲୀ ଆସିବାର ଥିଲା, କିନ୍ତୁ ପେଟ ଇନଫେକ୍ସନ ଦର୍ଶାଇ ସେ ତାଙ୍କ ପ୍ରସ୍ତାବିତ ଯାତ୍ରାକୁ ବାତିଲ କରିଥିଲେ । ଶିବକୁମାର କହିଛନ୍ତି ଯେ, ମୁଁ ସମସ୍ତ ନେତାଙ୍କୁ ଭେଟିବି । ପ୍ରଥମେ ମୋତେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବାକୁ ପଡିବ । ମୁଁ ଇସ୍ତଫା ଦେଉଛି ବୋଲି କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି, ଏହା ନିର୍ବୋଧତା । ମୋ ପାର୍ଟି ମୋର ମା । ଆମର ସମସ୍ତ ବିଧାୟକ ମିଳିତ ଅଛନ୍ତି ।

ସିଦ୍ଧରମେୟା ଏବଂ ଶିବକୁମାର କର୍ଣ୍ଣାଟକରେ ସରକାର ଗଠନ ପାଇଁ ଦଳର ମୁଖ୍ୟ ଖଡଗେଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଉଭୟ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚୟନ ଏବଂ ସରକାର ଗଠନ ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଆଲୋଚନା କରିବାର ସମ୍ବାବନା ରହିଛି । ସୋନିଆ ଗାନ୍ଧୀ ଆଜି ଶିମଳାରୁ ଫେରୁଛନ୍ତି। ତାଙ୍କର ଫେରିବା ପରେ କର୍ଣ୍ଣାଟକର ସିଏମଙ୍କ ନାମ ଘୋଷଣା କରାଯାଇପାରେ ।

Leave a Reply

Your email address will not be published. Required fields are marked *