କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ପ୍ରିୟଙ୍କା!

ଦେଶରେ କଂଗ୍ରେସର ସ୍ଥିତି ସଂଗୀନ। ୱାଇନାଡ ସାଂସଦ ପଦ ଯାଇଛି ରାହୁଲ ଗାନ୍ଧିଙ୍କର। ଏହାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ। ସେପଟେ କିନ୍ତୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ନେତା। ଉତ୍ତର ପ୍ରଦେଶର କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା।
ଶନିବାର ପ୍ରୟାଗରାଜଠାରେ ଆଚାର୍ଯ୍ୟ କହିଥିଲେ କି, ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦର ମାନେ ନୁହେଁ କି, ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି। ସାଂସଦ ପଦ ଯାଇଛି ସତ, ହେଲେ ସେ ଦେଶବାସୀଙ୍କ ହୃଦୟରେ ଅଛନ୍ତି। ଜନତା ନିର୍ଦ୍ଧାରଣ କରିବେ କାହାକୁ ବସାଇବେ ସିଂହାସନରେ ବୋଲି ଆଚାର୍ଯ୍ୟ କହିଥିଲେ। ୨୦୨୪ରେ ରାହୁଲ ଆମେଠିରୁ ନିର୍ବାଚନ ଲଢ଼ିବାକୁ ନେଇ କହିଥିଲେ କି, ଏହାର ନିଷ୍ପତ୍ତି ଗାନ୍ଧି ପରିବାର ନେବ।
ୱାୟନାଡ୍‌ରୁ ୨୦୧୯ରେ ରାହୁଲ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ ସେ କହିଥିଲେ, ୱାୟନାଡ୍‌ ମଧ୍ୟ ଭାରତରେ ରହିଛି। ନୋହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଛାଡି ବାରାଣାସୀରୁ କିପରୁ ନିର୍ବାଚନ ଲଢ଼ିଲେ ବୋଲି କହିଥିଲେ ଆଚାର୍ଯ୍ୟ। ସେ ଆହୁରି କହିଛନ୍ତି କି,ରାହୁଲଙ୍କ ସଦସ୍ୟତା ଉପରେ ଆଇନଗତ ସଙ୍କଟ ଦେଖାଦେଇଥିବାରୁ ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ଆଗକୁ ନିଆଯାଉଛି। ଦେଶବାସୀ ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *