ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

ରୋଗୀଙ୍କୁ ନେବାକୁ ଯାଉଥିବା ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗି ଜଳିଯାଇଥିବା ବେଳେ ଆମ୍ବୁଲାନ୍ସ ଆପେକ୍ଷାରେ ଥିବା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡା ଗାଁରେ। ଏପରି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଅମ୍ବୁଲାନ୍ସ ନ ପହଞ୍ଚିବାରୁ ଏପରି ହୋଇଥିବାରୁ କ୍ଷତିପୂରଣ ଦାବି କରୁଛନ୍ତି ପରିବାର ଲୋକେ।

ଗୁଲିମିଗୁଡାର ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ହେବାରୁ ଡାକ୍ତର ଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବନ୍ଧୁଗାଁ ମେଡିକାଲରୁ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବାକୁ ବାହାରିଥିଲା। ଗାଁ ଆଡକୁ ଆମ୍ବୁଲାନ୍ସ ଆଗେଇ ଯାଉଥିବା ବେଳେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ପୋଡିଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ପୋଡିଯାଇଥିବା ଆମ୍ୱୁଲାନ୍ସ କିଛି ଦିନ ତଳେ ବନ୍ଧୁଗାଁ ମୋଡିକାଲକୁ ଭୁବନେଶ୍ୱରରୁ ପଠାଯାଇଥିଲା। ହେଲେ ଆମ୍ବୁଲାନ୍ସର ନ ଥିଲା ଫିଟନେସ ସାର୍ଟିଫିକେଟ। କାରଣ ଏହା ଥିଲା ୧୭ ବର୍ଷ ପୁରୁଣା ଗାଡି। ନୂଆ ନିୟମ ଆନୁଯାୟୀ ଏହି ଗାଡିକୁ ରାସ୍ତାରେ ଗଡିବା ମନା। ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ନ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାରୀ କଳ ପଠାଇ ଦେଇ ବାହାବା ନେବାକୁ ଚେଷ୍ଟା କରିଥିଲା। ସେପଟେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ରୋଗୀ।

ଆମ୍ବୁଲାନ୍ସରେ ନିଆଁ ଲାଗିବାକୁ ନେଇ ପ୍ରାଥମିକ ତଦନ୍ତ ପରେ ଜଣାପଡିଛି କି, ବାଟରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସଟି ପୁରୁଣା ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସୁଥିବା ଜାଣି ରୋଗୀଙ୍କ ପରିବାର ତାଙ୍କୁ ହସ୍ପିଟାଲ ନେବାକୁ ଅନ୍ୟ କୌଣସି ଉପାୟ ଆପଣେଇ ନ ଥିଲେ। ଆଉ ରୋଗୀ ଯନ୍ତ୍ରଣାରେ ଦୀର୍ଘ ସମୟ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାରୁ ଏହି ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପୀଡିତ ପରିବାର।

ତେବେ ଆମ୍ୱୁଲାନ୍ସକୁ ନେଇ ଏପରି ଅଘଟଣ ରାଜ୍ୟରେ ନୂଆ ନୁହେଁ। କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ରୋଗଗ୍ରସ୍ତ ଶିଶୁକୁ ହସ୍ପିଟାଲ ଆଣିବାକୁ ଆମ୍ୱୁଲାନ୍ସ ପାଇଁ ଫୋନ ହୋଇଥିଲା। ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ନ ଥିଲା ଆଉ ଶିଶୁର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *