ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

ଚଳିତ ମାସରେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 କାର୍ଯ୍ୟକ୍ରମକୁ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିଛି । ଗୋଟିଏ ପଟେ ପାକିସ୍ତାନ ବିଶ୍ବର ଦେଶମାନଙ୍କୁ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚିଠି ଲେଖୁଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧରେ ଜି -20 ହ୍ୟାସଟ୍ୟାଗ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରଚୁଛି । ଯେମିତି ଭାରତ ବିଶ୍ୱସନୀୟତା ହରାଇବ ।

ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମେ 2ରୁ ମେ 7 ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ଯାଉଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶାହାବାଜ ଚଳିତ ମାସ 6 ରେ ହେବାକୁ ଥିବା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲଣ୍ଡନ ଯାଉଛନ୍ତି । ହେଲେ ଅନୁମାନ କରାଯାଉଛି ସେଠି ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜି -20 କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ ପାରନ୍ତି ।

22ରୁ 24 ମେ ପର୍ଯ୍ୟନ୍ତ ଶ୍ରୀନଗରରେ ଜି -20ର ଟୁରିଜିମ୍ ୱାର୍କିଂ ଗ୍ରୁପର ଏକ ବୈଠକ ହେବ । ଅଗଷ୍ଟ 2019 ପରେ ଏହା ପ୍ରଥମ ପ୍ରମୁଖ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ପର୍ଯ୍ୟଟନ କାର୍ଯ୍ୟ ଗୋଷ୍ଠୀର ବୈଠକ ଜାମ୍ମୁ କାଶ୍ମୀରକୁ ଆଗ୍ରାଧିକାର ଦେବା ଉପରେ ଧ୍ୟାନ ଦେବ ।

ଏପ୍ରିଲ୍ 17ରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବାଂଲାଦେଶକୁ ଏଭଳି ଏକ ଚିଠି ପଠାଇଛି, ଯେଉଁଥିରେ କାଶ୍ମୀରକୁ ନେଇ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଆଲୋଚନା ରହିଛି । ଦିଲ୍ଲୀରେ ଅବସ୍ଥିତ ପାକିସ୍ତାନୀ ହାଇ କମିଶନଙ୍କ ଦ୍ୱାରା ବାଂଲାଦେଶକୁ ପଠାଯାଇଥିବା ଏକ ଦଲିଲରେ କୁହାଯାଇଛି ଯେ, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ରହିଛି ଏବଂ ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଜି -20କୁ ବର୍ଜନ କରିବା ଉଚିତ । ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବିରୋଧରେ କୂଟନୈତିକ ସ୍ତରରେ ପାକିସ୍ତାନ ନିଜର ଉଦ୍ୟମକୁ ଜୋରଦାର କରିଛି ।

Leave a Reply

Your email address will not be published. Required fields are marked *