Blog

  • ଜାପାନ ଫର୍ମୁଲାରେ କମ୍ ହେଉଛି ଛାଡପତ୍ର, ତେବେ ଜାଣନ୍ତୁ କଣ ଏହି ଫର୍ମୁଲା ?

    ଜାପାନ ଫର୍ମୁଲାରେ କମ୍ ହେଉଛି ଛାଡପତ୍ର, ତେବେ ଜାଣନ୍ତୁ କଣ ଏହି ଫର୍ମୁଲା ?

    ଆଜିକାଲି ବିବାହ ବିଚ୍ଛେଦ ଗୋଟିଏ ସାଧାରଣ କଥା ହୋଇଗଲାଣି । ଯାହା ପୂର୍ବରୁ କେବଳ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏହା ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ବିବାହର ୨ ବର୍ଷ ନପୁରୁଣୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଉଛି ପାରିବାରିକ କଳହ ଓ ଯାହାର ଶେଷ ପରିଣତି ହେଉଛି ବିବାହ ବିଚ୍ଛେଦ । କିନ୍ତୁ ଏସବୁରୁ ଚିକିଏ ଅଲଗା ହେଉଛି ଜାପାନ, ଯେଉଁଠି ରହିଛି ଖୁବ୍ ସୁନ୍ଦର ନିୟମ ।

    ଜାପାନରେ ପରିବାରକୁ ଖୁବ୍ ଗୁରୁତ୍ଵ ଦିଆଯାଇଥାଏ । ଅନ୍ୟ ଗୋଟିଏ କାରଣ ହେଲା ଏଠାକାର ଅନେକ ଲୋକ ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି ନଚେତ୍ ନାସ୍ତିକ ଅଟନ୍ତି । ତେଣୁ ବିବାହ ପରେ ଧର୍ମକୁ ନେଇ ଖୁବ୍ କମ୍ ଝଗଡ଼ା ଦେଖାଦେଇଥାଏ । ଏହାଛଡା ଜାପାନୀ ବିବାହରେ, ସ୍ବାମୀ-ସ୍ତ୍ରୀ ଉଭୟଙ୍କୁ ଖୁବ୍ ଅଧିକ ସ୍ପେସ ଦେବାରେ ବିଶ୍ୱାସ ରଖନ୍ତି ।

    ପାଖାପାଖି ୨୦ ବର୍ଷ ପୂର୍ବରେ ଜାପାନୀ ଲେଖିକା ୟୁମିକୋ ଗୋଟିଏ ପୁସ୍ତକ ଲେଖିଥିଲେ । ଏଥିରେ ଲେଖିକା ବିଶେଷ ଭାବରେ ଦର୍ଶାଇ ଥିଲେ ଯେ, ଯଦି ବିନା ବିବାହ ବିଚ୍ଛେଦରେ ସ୍ବାମୀ ସ୍ତ୍ରୀ ଅଲଗା ରହିବେ ଓ ନିଜ ନିଜର ସ୍ଵାଧୀନତାରେ ରହିବେ ତେବେ କେତେ ଭଲ ହୋଇପାରିବ । ଏହି ପୁସ୍ତକକୁ ନେଇ ସେତେବେଳେ ବିବାଦ ଦେଖା ଦେଇଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମ ଜାପାନରେ ଲାଗୁ ହୋଇଯାଇଛି । ବିଶେଷ ଭାବରେ ଜାପାନରେ ସାମାଜିକ ବ୍ୟବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଥିଲା, ଯେଉଁଠି ପୁରୁଷ ରୋଜଗାର କରିଥିଲେ ଓ ମହିଳା ମାନେ ଘର ସମ୍ଭାଳି ରହୁଥିଲେ । କିନ୍ତୁ, ମହିଳା ମାନେ ଧୀରେ ଧୀରେ କର୍ମଜୀବୀ ହେଲେ, ଯେଉଁ କାରଣରୁ ସେମାନଙ୍କ ଉପରେ ଅନେକ କାମର ଚାପ ରହିଲା ।

    ୱିକେଣ୍ଡ ମ୍ୟରେଜ୍ କଣ ? :-
    ୱିକେଣ୍ଡ୍ ମ୍ୟାରେଜ ଗୋଟିଏ ଏଭଳି ବ୍ୟବସ୍ଥା ଅଟେ, ଯେଉଁଥିରେ ସ୍ବାମୀ-ସ୍ତ୍ରୀ ବିବାହିତ ହୋଇ ମଧ୍ୟ ଅଲଗା ଅଲଗା ରହିଥାଆନ୍ତି । ଏହା ଏଥିପାଇଁ ହୋଇଥାଏ, କାହିଁକି ନା ଉଭୟ ସ୍ଵାଧୀନ ଭାବରେ ରହିପାରିବେ । ଦମ୍ପତି ଅଲଗା ଅଲଗା ସହରରେ ଘର ନେଇ ରୁହନ୍ତୁ କିମ୍ବା ଗୋଟିଏ ସହରରେ ରୁହନ୍ତୁ ସେଥିରେ କିଛି ଫରକ୍ ପଡ଼ି ନଥାଏ ।
    ସାଧାରଣ ସ୍ବାମୀ-ସ୍ତ୍ରୀଙ୍କ ଭଳି ଏମାନଙ୍କ ମଧ୍ୟରେ ମଧ୍ୟ ଇମୋସନାଲ ବଣ୍ଡିଂ ରହିଥାଏ, ଏମାନେ ନିଜ ନିଜର ସୁଖ ଦୁଃଖ ମଧ୍ୟ ବାଣ୍ଟିଥାଆନ୍ତି, କିନ୍ତୁ ତାହା କେବଳ ସପ୍ତାରହ ଶେଷ ବା ୱିକେଣ୍ଡରେ ହୋଇଥାଏ । ଏହାକୁ ମଧ୍ୟ ସେପାରେସନ୍ ମ୍ୟାରେଜ କୁହାଯାଇଥାଏ । ଏଭଳି ମଧ୍ୟ ହୋଇଥାଏ ଯେ, ଉଭୟ ୨-୪ ଦିନ ଏକାଠି ମଧ୍ୟ ରହିଥାଆନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ସେହି ସମସ୍ତ କଥା ଆଲୋଚନା ହୋଇଥାଏ ଯାହା ସାଧାରଣ ଦମ୍ପତିଙ୍କ ମଧ୍ୟରେ ହୋଇଥାଏ । ପିଲାମାନଙ୍କର ଶିକ୍ଷା ଠାରୁ ନେଇ ବିବାହ ପର୍ଯ୍ୟନ୍ତ । ନଚେତ୍ ଯଦି କୌଣସି ଏମର୍ଜେନ୍ସି ହୋଇଥାଏ ତେବେ ସ୍ବାମୀ ସ୍ତ୍ରୀ ଏକାଠି ହୋଇଥାଆନ୍ତି । ଏହାକୁ ନେଇ ଜାପାନରେ କୌଣସି ଲିଗାଲ୍ ଟର୍ମ ମଧ୍ୟ ନାହିଁ ।

  • ଗୋରୁ ବୋଝେଇ ମିନି ଟ୍ରକ୍ ଜବତ, ୨୨ ଗୋରୁ ଉଦ୍ଧାର

    ଗୋରୁ ବୋଝେଇ ମିନି ଟ୍ରକ୍ ଜବତ, ୨୨ ଗୋରୁ ଉଦ୍ଧାର

    କେନ୍ଦୁଝର ଜିଲ୍ଲାରେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । ଏଥିରେ ରୋକ୍ ଲଗାଇବା ପାଇଁ କୌଣସି ଉଦ୍ୟମ ହେଉନାହିଁ । ସ୍ଥାନୀୟ ଲୋକେ ଏ ଦିଗରେ ପଦକ୍ଷେପ ନେଉଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି ।

    ତୁରୁମୁଙ୍ଗା ଥାନା ଜାତୀୟ ରାଜପଥ ୪୯ ନମ୍ବର, ଖିରେଇଟାଙ୍ଗିରି ନିକଟରୁ ଗୋରୁ ବୋଝେଇ ମିନି ଟ୍ରକ୍ ଜବତ ହୋଇଛି । ଗାଡ଼ିରୁ ୨୨ ଗୋରୁ ଉଦ୍ଧାର କରାଯାଇଛି । ୨ଟି ଗୋରୁ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଗାଡ଼ି ଜବତ ହୋଇଥିବା ବେଳେ ଘଟଣାସ୍ଥଳରେ ଅନ୍ୟ ୩ଟି ଟ୍ରକ୍ ପଳାଇବାରେ ସକ୍ଷମ ହୋଇଛି । ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ।

    ଗୋରୁ ଚାଲାଣ ନେଇ ପୂର୍ବରୁ ସୂଚନା ପାଇଥିଲା ଖିରେଇଟାଙ୍ଗିରୀ ନିକଟରେ ଥିବା ତୁରୁମୁଙ୍ଗା ଥାନା ପୋଲିସ । ଗୋଟିଏ ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଗାଡ଼ି ଫେରାର୍ ହେବା ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଅନେକ ଥର ଏପରି ଗୋରୁ ଚାଲାଣ ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସର ଅବହେଳା ଏଥିପାଇଁ ଦାୟୀ । ଗୋରୁ ଦଲାଲମାନଙ୍କ ସହ ପୋଲିସର ଭିତିରି ସମ୍ପର୍କ ରହିଛି । ପୋଲିସକୁ କିଛି ଆର୍ଥିକ ଫାଇଦା ମିଳୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । ଏଭଳି ଅଭିଯୋଗ କରିବା ସହ ଗୋରୁ ଚାଲାଣ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

  • ନବଜାତ ଶିଶୁର ମୃତଦେହ କୁକୁର କାମୁଡି ଖାଉଥିବା ବେଳେ ଉଦ୍ଧାର

    ନବଜାତକକୁ ଝୁଣି ଖାଇଲେ କୁକୁର। ଖଣ୍ଡିଆ ଖାବରା ଅବସ୍ଥାରେ ଶିଶୁର ମୃତଦେହ ଉଦ୍ଧାର। ଏମିତି ଏକ ସ୍ପର୍ଶକାତର ଓ ହୃଦୟ ବିଦାରକ ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅଧୀନରେ। ଲୋକେ ଶିଶୁଟିର ମୃତଦେହ କୁକୁର ମୁହଁରୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    ସୂଚନା ମୁତାବକ, ରବିବାର ସକାଳୁ ସକାଳୁ ଇଚିଣ୍ଡା ଗ୍ରାମରେ ଥିବା ଗିରିଶ କବାଡି ଦୋକାନ ନିକଟରେ ଥିବା ବିଲ ଭିତରେ ଏକ ନବଜାତ ଶିଶୁର ମୃତଦେହକୁ ୩ଟି କୁକୁର  ଝୁଣି ଖାଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତୁରନ୍ତ କୁକୁର ସବୁଙ୍କୁ ସେଠାରୁ ଘଉଡାଇ ଖଣ୍ଡିଆ ଖାବରା ମୃତଦେହ ଉଦ୍ଧାର କରିଥିଲେ ଓ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲେ। ସେପଟେ ଏକ ନବଜାତକର ମୃତଦେହ କୁକୁର ଖାଉଥିବା ଖବର ପ୍ରଘଟ ହେବାରୁ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ପୋଲିସ ସେଠାରେ ପହଞ୍ଚି  ମୃତଦେହ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଆରମ୍ଭ କରିଛି ତଦନ୍ତ।

    ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନେକ ଛୁଆଟିଏ ନ ପାଇ ଡହଳ ବିକଳ ହେଉଛନ୍ତି। କିନ୍ତୁ ଭଗବାନ ଛୁଆଟିଏ ଦେଇଥିବା ବେଳେ କେମିତି ଜଣେ ନିଜ ଜନ୍ମିତ ସନ୍ତାନକୁ ଏଭଳି ପକାଇପାରୁଛି? ଛୁଆଟି କେଉଁଠୁ ଆସିଲା, କିଏ ଆଣିଥିଲା, ଶିଶୁଟିର ମାତାପିତା କିଏ? ନା ଶିଶୁଟି କୌଣସି ଅବଞ୍ଛିତ ସନ୍ତାନ ଥିଲା, ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।  ପୋଲିସ ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

  • ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍: ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ

    ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍: ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ

    IPL ଏବେ ଶେଷ ପର୍ଯ୍ୟାୟରେ । ମେ’୨୮ ତାରିଖରେ ଟାଇଟଲ୍ ଲଢ଼େଇ । ଦେଶୀ ବିଦେଶୀ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ନିଜର ଶତ ପ୍ରତିଶତ ପରଫରମାନ୍ସ ଦେଇଛନ୍ତି । କେହି କେହି ଚମତ୍କାର ପ୍ରଦର୍ଶନ ସହ ଟିମକୁ କମବ୍ୟାକ୍ କରିଛନ୍ତି । IPL ପରେ ପରେ ଟିମ୍ ଇଣ୍ଡିଆ ଖେଳିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭବିଷ୍ୟବାଣୀ ଚର୍ଚ୍ଚାକୁ ଆସିଛି ।

    ଜୁନ୍ ୭ରୁ ଜୁନ୍ ୧୧ ଯାଏ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ । ଲଣ୍ଡନର ଓଭାଲ ମୈଦାନରେ ମୁହାଁମୁହିଁ ହେବେ ଗତଥରର ଉପବିଜେତା ଟିମ୍ ଇଣ୍ଡିଆ ଏବଂ ଟିମ୍ ଅଷ୍ଟ୍ରେଲିଆ India vs Aus। ଗତଥର ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ଭାରତ । ଏଥର କିନ୍ତୁ ଟ୍ରଫି ହାସଲ ପାଇଁ ସମସ୍ତ ଉଦ୍ୟମ କରିବ ଦଳ । ସେଥିପାଇଁ ଟପ୍ ପ୍ଲେୟାରମାନଙ୍କୁ ନେଇ ଟିମ୍ ସିଲେକ୍ସନ ହୋଇଛି ।

    ଟିମ୍ ଇଣ୍ଡିଆ ଏବଂ ଟିମ୍ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ଟାଇଟଲ୍ ହାସଲ କରିବାକୁ ଟପ୍ ପରଫରମାନ୍ସ ଦେବେ ଖେଳାଳି । ହେଲେ ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ତେଣୁ ଓଭାଲ ପିଚରେ ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ । ଟାଇଟଲ୍ ହାସଲ କରିବାରେ କଙ୍ଗାରୁ ଟିମ୍ ଅପେକ୍ଷା ଟିମ୍ ଇଣ୍ଡିଆ ଅଧିକ ଫେବୋରାଇଟ୍ସ ବୋଲି କହିଛନ୍ତି ରିକି ପଣ୍ଟିଂ ।

    ପାଣିପାଗ ଏବଂ ପିଚ୍ କଣ୍ଡିସନ୍ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବେଶ୍ ସୁହାଇବ ତଥାପି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଭଲ ରହିବ । ଇଂଲଣ୍ଡ ପରି ହାର୍ଡ ଏବଂ ବାଉନ୍ସ ପିଚରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିପାରେ ମାତ୍ର ଭାରତ ଏହାଠାରୁ ବହୁତ ଭଲ ବୋଲି ପ୍ରେଡିକ୍ସନ କରିଛନ୍ତି ରିକି । ଯଦି ଭାରତୀୟ ପିଚରେ ଏହି ମୁକାବିଲା ହୋଇଥାନ୍ତା ତେବେ ମ୍ୟାଚ୍ ଜିତିବା ଅଷ୍ଟ୍ରେଲିଆ ପାଇଁ ଏକପ୍ରକାର ସ୍ୱପ୍ନ ହୋଇଥାନ୍ତା ବୋଲି ସେ ନିଜର ମତ ରଖିଛନ୍ତି । ନ୍ୟୁଟ୍ରାଲ୍ ଭେନ୍ୟୁ ଇଂଲଣ୍ଡରେ ମ୍ୟାଚ୍ ଖେଳାଯାଉଥିବାରୁ ଏହା ବେଶ୍ ରୋମାଞ୍ଚକ ହେବ ଏବଂ ଶେଷରେ ଟିମ୍ ଇଣ୍ଡିଆ ବାଜି ମାରିବାର ସମ୍ଭାବନା ଅଧିକ ଥିବା କହିଛନ୍ତି ରିକି ।

    ଗତ କିଛି ବର୍ଷ ଧରି ବିଦେଶରେ ନିଜର ଦବାଦବା ବଜାୟ ରଖିଛି ଟିମ୍ ଇଣ୍ଡିଆ । ୨୦୨୦-୨୧ ବୋର୍ଡର-ଗାଭାସ୍କର ସିରିଜ୍ ହେଉ ଅବା ୨୦୨୧-୨୨ ପଟୌଦି ଟ୍ରଫ୍ ସବୁଥିରେ ଭଲ ପ୍ରଦର୍ଶନ କରିଛି ଦଳ । ବର୍ତ୍ତମାନ ମଧ୍ୟ ବଛାବଛା ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ତେଣୁ ଟିମ୍ ଅଷ୍ଟ୍ରେଲିଆ ପାଇଁ ସେମାନେ ଘାତକ ସାଜିପାରନ୍ତି ବୋଲି ପଣ୍ଟିଂ ଆଗରୁ ସତର୍କବାଣୀ ଶୁଣାଇଛନ୍ତି ।

    ୧୯୯୦ରୁ ୨୦୦୦ ଏବଂ ୨୦୦୦ ପରଠାରୁ ବର୍ତ୍ତମାନର ଟିମ୍ ବେଶ୍ ଶକ୍ତିଶାଳୀ । ଯେକୌଣସି ଟିମକୁ ଯେକୌଣସି ପରିସ୍ଥିତିରେ ପରାସ୍ତ କରିବାର କ୍ଷମତା ରଖିଛି ଟିମ୍ ଇଣ୍ଡିଆ । ଗତ ୧୦ରୁ ୧୫ ବର୍ଷ ମଧ୍ୟରେ ବ୍ୟାଟିଂ ଏବଂ ବୋଲିଂରେ ବହୁତ ଉନ୍ନତି କରିଛି ଭାରତ । ଟିମ୍ ଇଣ୍ଡିଆରେ ଅନେକ ବିସ୍ଫୋରକ ବ୍ୟାଟସମ୍ୟାନ, ରନ୍ ମେସିନ, ମ୍ୟାଚ୍ ୱିନର, ଟପ୍ ଫାଷ୍ଟ ବୋଲର ସୃଷ୍ଟି ହୋଇଛନ୍ତି ଯେଉଁମାନେ ଏକାକୀ ଦଳକୁ ବିଜୟୀ କରାଇପାରନ୍ତି ବୋଲି ରିକି ପଣ୍ଟିଂ କହିଛନ୍ତି ।

    ସିନିୟର ପ୍ଲେୟାର ଚେତେଶ୍ୱର ପୂଜାରା ଏବେ ଇଂଲଣ୍ଡରେ କାଉଣ୍ଟିଂ ମ୍ୟାଚ୍ ଖେଳୁଛନ୍ତି । ପୁରାପୁରି ଫର୍ମରେ ଥିବାରୁ ଅଷ୍ଟ୍ରେଲିଆ ପାଇଁ ଟେନସନର କାରଣ ବଢ଼ିଛି । ଅଷ୍ଟ୍ରେଲିଆ ବିରୋଧରେ ତାଙ୍କର ଭଲ ରେକର୍ଡ ରହିଛି । ତେଣୁ ଫାଇନାଲ୍ ମ୍ୟାଚ୍ ରୋମାଞ୍ଚକ ହେବ, କେହି କାହାରିକୁ ଛାଡ଼ିବେ ନାହିଁ । ଶେଷରେ କିନ୍ତୁ ଭାରତ ଫରରେ ମ୍ୟାଚ୍ ଯାଇପାରେ ବୋଲି ଦିଲ୍ଲୀ ମୁଖ୍ୟ କୋଚ୍ ସୂଚନା ଦେଇଛନ୍ତି । IPL ପରେ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ ହେବ । ତେଣୁ ଫିଟ୍ ଏବଂ ଇନଫର୍ମ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ବିରୋଧରେ ଲଢ଼ିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି ।

  • IPL: ପ୍ଲେଅଫ୍ ରାଉଣ୍ଡ ପାଇଁ ଚତୁର୍ଥ ଟିମ୍ ସସପେନ୍ସ

    IPL: ପ୍ଲେଅଫ୍ ରାଉଣ୍ଡ ପାଇଁ ଚତୁର୍ଥ ଟିମ୍ ସସପେନ୍ସ

    ଫଟାଫଟ୍ କ୍ରିକେଟ୍ IPL ଏବେ ଶେଷ ପର୍ଯ୍ୟାୟରେ । ଲିଗ୍ ପର୍ଯ୍ୟାୟ ପରେ ପ୍ଲେଅଫ୍ ରାଉଣ୍ଡ । ଆଜି ୨ଟି ମ୍ୟାଚ୍ ପରେ ଶେଷ ହେବ ଲିଗ୍ ପର୍ଯ୍ୟାୟ । ତେବେ, ପ୍ଲେଅଫ୍ ରାଉଣ୍ଡର ଚତୁର୍ଥ ସ୍ଥାନକୁ ନେଇ ସସପେନ୍ସ ଲାଗି ରହିଛି ।

    ୨୩ ତାରିଖରୁ ଆରମ୍ଭ ହେବ ପ୍ଲେଅଫ୍ ରାଉଣ୍ଡ । ଏଥିପାଇଁ ୩ଟି ଟିମ୍ କ୍ୱାଲିଫାଏ କରିସାରିଛନ୍ତି । ଚତୁର୍ଥ ଟିମ୍ ଭାବେ କିଏ କ୍ୱାଲିଫାଏ କରିବ । IPLରେ ଏଯାଏ ୬୮ଟି ମ୍ୟାଚ୍ ଶେଷ ହୋଇଛି । ଆଜି ମୁମ୍ବାଇ ଓ ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଓ ଗୁଜରାଟ ମଧ୍ୟରେ ଦୁଇଟି ମ୍ୟାଚ୍ ପରେ ପ୍ଲେଅଫ୍ ରାଉଣ୍ଡ ଆରମ୍ଭ ହେବ । ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଗୁଜରାଟ ଟାଇଟନ୍ସ । ୧୭ ପଏଣ୍ଟ ସହ ଦ୍ୱିତୀୟରେ ଚେନ୍ନାଇ ଏବଂ ୧୭ ପଏଣ୍ଟ ସହ ତୃତୀୟରେ ଲକ୍ଷ୍ନୌ ରହିଛି । ୩ଟି ଟିମ୍ ପ୍ଲେଅଫ୍ ରାଉଣ୍ଡକୁ କ୍ୱାଲିଫାଏ କରିସାରିଛନ୍ତି । ତେବେ ଚତୁର୍ଥ ଟିମକୁ ନେଇ ସମୀକରଣ ଅଲଗା ରହିଛି । ଏହି ରେସରେ ବାଙ୍ଗାଲୋର, ମୁମ୍ବାଇ ଏବଂ ରାଜସ୍ଥାନ ଥିବାବେଳେ କିଏ ପ୍ଲେଅଫ୍ ରାଉଣ୍ଡକୁ ଉନ୍ନୀତ ହେବ ସେ ନେଇ ଟେନସନ ବଢୁଛି ।

    ଆଜି ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟରେ ଅପରାହ୍ଣ ସାଢ଼େ ୩ଟାରେ ଖେଳାଯିବ ମ୍ୟାଚ୍ । ୧୩ ମ୍ୟାଚରୁ ୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ମୁମ୍ବାଇ । ନେଟ୍ ରନରେଟରେ ବାଙ୍ଗାଲୋର ଏବଂ ରାଜସ୍ଥାନ ଠାରୁ ପଛରେ ରହିଛି ଦଳ । ରାଜସ୍ଥାନ ନିକଟରେ କୌଣସି ମ୍ୟାଚ୍ ନାହିଁ କିନ୍ତୁ ୧୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ଟିମ୍ । ସେପଟେ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବାଙ୍ଗାଲୋର ନିକଟରେ ଗୋଟିଏ ମ୍ୟାଚ୍ ଥିବାବେଳେ ନେଟ୍ ରନରେଟରେ ଏହି ଦୁଇ ଟିମ୍ ଠାରୁ ଆଗରେ ରହିଛି । ଆଜି ପଏଣ୍ଟ ଟେବୁଲର ଶେଷରେ ଥିବା ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ । ବିପୁଳ ବ୍ୟବଧାନରେ ହାଇଦ୍ରାବାଦକୁ ପରାସ୍ତ କଲେ ଉନ୍ନତ ରନରେଟରେ ଚତୁର୍ଥ ସ୍ଥାନ ହାସଲ କରିପାରେ । ହାରିଲେ ବିଦାୟ ନେବ ଦଳ । ତେଣୁ ଆଜି ପୁରା ଦମର ସହ ଲଢ଼ିବାକୁ ମୁମ୍ବାଇ ଖେଳାଳି ତୟାର ।

    ୧୩ ମ୍ୟାଚରୁ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ବାଙ୍ଗାଲୋର । ନେଟ୍ ରନରେଟରେ ବହୁତ ଭଲ ରହିଛି । ତଥାପି ଦଳକୁ ଗୁଜରାଟ ବିପକ୍ଷରେ ବିଜୟୀ ହେବାକୁ ପଡ଼ିବ । ୧୬ ପଏଣ୍ଟ ହେଲେ ସୁଦ୍ଧା ନେଟ୍ ରନରେଟ୍ ଭଲ ରହିବା ଆବଶ୍ୟକ । କାରଣ ମୁମ୍ବାଇ ଯଦି ଭଲ ରନରେଟରେ ବିଜୟୀ ହୁଏ ତେବେ ବାଙ୍ଗାଲୋର ପାଇଁ ଟେନସନ୍ । ତେଣୁ ଦଳକୁ ସତର୍କତାର ସହ ଖେଳିବାକୁ ପଡ଼ିବ ।

    ସେପଟେ, ରାଜସ୍ଥାନକୁ ଭାଗ୍ୟ ସାଥ୍ ଦେଲେ ଦଳ କ୍ୱାଲିଫାଏ କରିପାରେ । କାରଣ ଦଳ ସମସ୍ତ ମ୍ୟାଚ୍ ଖେଳି ୧୪ ପଏଣ୍ଟରେ ଅପେକ୍ଷା କରିଛି । ଯଦି ମୁମ୍ବାଇ ଏବଂ ବାଙ୍ଗାଲୋର ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାସ୍ତ ହୁଅନ୍ତି, ନେଟ୍ ରନରେଟ୍ ଭଲ ନରହେ ତେବେ ହୁଏତ ପ୍ଲେଅଫ୍ ରାଉଣ୍ଡକୁ କ୍ୱାଲିଫାଏ ପାଇଁ ରାଜସ୍ଥାନକୁ ସୁଯୋଗ ମିଳିପାରେ । ସେପଟେ କୋଲକାତା, ପଞ୍ଜାବ, ଦିଲ୍ଲୀ ଏବଂ ହାଇଦ୍ରାବାଦ IPLର ପ୍ଲେଅଫ୍ ରାଉଣ୍ଡରୁ ବଞ୍ଚିତ ହୋଇଛନ୍ତି । ଏଯାଏ ଗୁଜରାଟ, ଚେନ୍ନାଇ ଏବଂ ଲକ୍ଷ୍ନୌ କ୍ୱାଲିଫାଏ କରିଥିବା ବେଳେ ଚତୁର୍ଥ ଟିମ୍ ପାଇଁ ଲଢ଼େଇ ହେବ ।

  • ମହୁମାଛି ନେଲା ସରପଞ୍ଚଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ସନତ’ଙ୍କ ମୃତ୍ୟୁ

    ମହୁମାଛି ନେଲା ସରପଞ୍ଚଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ସନତ’ଙ୍କ ମୃତ୍ୟୁ

    ମୃତ୍ୟୁ କେତେବେଳେ କେମିତି ଆସିବ କେହି ଜାଣିନାହାଁନ୍ତି । ବେଳେବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଉ ବେଳେ ବେଳେ ମଣିଷ ମୃତ୍ୟୁମୁଖରୁ ବି ବଞ୍ଚିଯାଏ । ବିମାନ ଦୁର୍ଘଟଣାରେ ଶିଶୁ ବଞ୍ଚିଯାଉଥିବା ବେଳେ ଯୁବକଯୁବତୀ, ବରିଷ୍ଠ ଲୋକ କିନ୍ତୁ ମରିଯାଆନ୍ତି ଯାହା ସମସ୍ତଙ୍କୁ ନିହାତି ଆଶ୍ଚର୍ଯ୍ୟ କରିଥାଏ । ମର୍ମନ୍ତୁଦ ଦୁର୍ଘଟଣାରେ ମଣିଷ ବଞ୍ଚିଯାଏ ହେଲେ ବିଛା କାମୁଡ଼ିଲେ ଲୋକେ ମରିଯାଆନ୍ତି । ତେଣୁ ବିଧିର ବିଧାନ ଅନୁସାରେ ଆମକୁ ଦୁନିଆରୁ ବିଦାୟ ନେବାକୁ ହୋଇଥାଏ । ଏବେ ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରୁ ଆସିଛି ।

    ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ପଞ୍ଚାୟତ ସରପଞ୍ଚ ସନତ କୁମାର ପ୍ରଧାନ । ତାଙ୍କ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଜ୍ଞା ତାଙ୍କର ମୃତ୍ୟୁ କିପରି ହେଲା ଜାଣିଛନ୍ତି । ସୂଚନା ଅନୁସାରେ ସରପଞ୍ଚ ସନତ କୁମାର ପ୍ରଧାନ ବିଲରେ କାମ କରୁଥିଲେ । ବିଲରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସରପଞ୍ଚଙ୍କ ମୃତ୍ୟୁ ଘଟିଛି । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଘଟଣା ନିହାତି ଆଶର୍ଯ୍ୟଜନକ । ଏଭଳି ଏକ ଘଟଣା ଘଟିଯିବ, ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ଜୀବନ ଚାଲିଯିବ କେହି କେବେ ସ୍ୱପ୍ନରେ ବି ଭାବିନଥିଲେ । କିନ୍ତୁ ଯାହା ଭାଗ୍ୟରେ ଥିଲା ତାହା ନିଶ୍ଚିତ ଘଟିବ । ସରପଞ୍ଚଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାରରେ ଶୋକାକୁଳ ପରିବେଶ ବି ଦେଖିବାକୁ ମିଳିଛି । ସବୁଦିନ ପାଇଁ ସେ ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ ସରପଞ୍ଚ ସନତ କୁମାର ।