କଣ୍ଢେଇ ନୃତ୍ୟକୁ ବିଶ୍ବସ୍ତରରେ ପରିଚିତ କରାଇଥିବା ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ଦେହାନ୍ତ

ବିଶିଷ୍ଟ କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତ । ଆଜି ଭୋର ସମୟରେ ତାଙ୍କ ପୈତୃକ ଘରେ ୮୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ପଦ୍ମଶ୍ରୀ କୁଅଁର। କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା।ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ବର୍ଗ। କିନ୍ତୁ କିଛି ଦିନ ପରେ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ତାଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ ମରଶରୀରରୁ ବେଢି ବସି ଶେଷ ବିଦାୟ ଦେଇଛନ୍ତି। କାନ୍ଦ ବୋବୋଳିରେ ଘର ଫାଟି ପଡିଛି। ପଦ୍ମଶ୍ରୀ କୁଅଁରଙ୍କ ବିୟୋଗରେ ରାଷ୍ଟ୍ରପତି ଟ୍ବିଟ୍ ଯୋଗେ ଦୁଃଖ ପ୍ରକାଶ କରିଛନ୍ତି।

ପଦ୍ମଶ୍ରୀ କୁଅଁର ତାଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ବାରା କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚୟ ପ୍ରଦାନ କରିଛନ୍ତି। ୨୦୨୩ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଥିଲେ। ଏଠାରେ କହି ରଖୁଛୁ କି, ଗତ କିଛିଦିନ ତଳେ ସ୍ବର୍ଗତ କୁଅଁର ନିଜର ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ।

Comments

Leave a Reply

Your email address will not be published. Required fields are marked *