Odisha Winter : ଓଡ଼ିଶାରେ ଶୀତର ଏଣ୍ଟ୍ରି ! ରାତି ହେଲେ ବଢ଼ିବ ଥଣ୍ଡାର ପ୍ରକୋପ

ଓଡ଼ିଶାକୁ ଛୁଇଁଲା ଶୀତ। ଧୀରେ ଧୀରେ ରାଜ୍ୟରେ ଅନୁଭୂତ ହେଲାଣି ଥଣ୍ଡାର ପ୍ରକୋପ। ସକାଳୁ ସକାଳୁ କୁହୁଡ଼ି ସାଙ୍ଗକୁ ରାତିରେ ବଢ଼ୁଛି ଶୀତ। ଆଗାମୀ ଦିନରେ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ନଭେମ୍ବର ମାସ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ ହେବାରେ ଲାଗିଛି। ବିଶେଷକରି କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଭଳି ଅଞ୍ଚଳରେ ଥଣ୍ଡା ଅନୁଭୂତ ହେଉଛି। ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ସକାଳ ଓ ରାତି ସମୟରେ ପାଗ ଥଣ୍ଡା ରହୁଛି।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଅନ୍ୟପଟେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୧.୬ ଡିଗ୍ରୀ ଓ କଟକରେ ୨୦.୪ ଡିଗ୍ରୀ ରହିଥିଲା। ଆଗାମୀ ଦିନରେ ପାରଦ ଆହୁରି ଖସିବା ସହ ଶୀତର ପ୍ରଭାବ ବୃଦ୍ଧି ପାଇପାରେ।

ଅନ୍ୟପଟେ ନଭେମ୍ବର ୧୦ ତାରିଖରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୧୧ ତାରିଖରେ ଭଦ୍ରକ ସମେତ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ତେବେ ୧୩ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବାର ପୂର୍ବାନୁମାନ କରାଯାଇଛି।

ଶୀତ ବଢ଼ିବା ସହ ଲୋକେ ଗରମ ପୋଷାକ ବ୍ୟବହାର ଆରମ୍ଭ କରିଛନ୍ତି। ବିଶେଷକରି ଛୋଟ ପିଲା, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଥଣ୍ଡାରୁ ସୁରକ୍ଷିତ ରଖିବା ଜରୁରୀ। ତେବେ ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାରେ ଶୀତର ପ୍ରକୋପ ଆହୁରି ବଢ଼ିବା ସହ ରାତି ଓ ପାହାନ୍ତା ସମୟରେ ଥଣ୍ଡା ଅଧିକ ଅନୁଭୂତ ହେବ।