Odisha Priest Arrest Case : ମନ୍ଦିର ପୂଜକଙ୍କ କଳା କାରନାମା, ମହିଳାଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ଅଭିଯୋଗରେ ଗିରଫ !

ପୂଜକଙ୍କ ନାଁରେ ସାଂଘାତିକ ଅଭିଯୋଗ। ବନ୍ଧୁତାର ଫାଇଦା ଉଠାଇ ମହିଳାଙ୍କୁ ବ୍ଲାକମେଲ୍। ଆଉ କଥାରେ ରାଜି ନହେବାରୁ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ବନ୍ଧା ହେଲେ ମନ୍ଦିର ପୂଜକ। ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ସନ୍ତୋଷ କୁମାର କର। ସେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଯଖପୁରା ଅଞ୍ଚଳର ଏକ ମନ୍ଦିରରେ ରହି ପୂଜକ ଭାବେ କାମ କରୁଥିଲେ।

ଏହି ସମୟରେ ଯାଜପୁର ରୋଡ୍ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଅଭିଯୋଗ ଅନୁସାରେ, ସନ୍ତୋଷ କୌଶଳକ୍ରମେ ଭିଡିଓ କଲ୍ ମାଧ୍ୟମରେ ମହିଳାଙ୍କ କିଛି ଅନ୍ତରଙ୍ଗ ଫଟୋ ସଂଗ୍ରହ କରି ରଖିଥିଲେ।

ପରବର୍ତ୍ତୀ ସମୟରେ ସେହି ଫଟୋକୁ ଆଧାର କରି ମହିଳାଙ୍କୁ ବ୍ଲାକମେଲ୍ କରିଥିବା ଅଭିଯୋଗ ହୋଇଛି। ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କ ଉପରେ ଚାପ ପକାଇବା ସହ ରାଜି ନହେଲେ ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେବାକୁ ଧମକ ଦେଇଥିଲେ।

ତେବେ ମହିଳା ଜଣକ ଏଥିରେ ରାଜି ନହେବାରୁ ଅଭିଯୁକ୍ତ ତାଙ୍କ ବ୍ୟକ୍ତିଗତ ଫଟୋକୁ ସ୍ୱାମୀଙ୍କ ହ୍ୱାଟ୍ସଆପ୍‌କୁ ପଠାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।

ଏହାପରେ ପୀଡ଼ିତା ଯାଜପୁର ରୋଡ୍ ଥାନାର ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ସନ୍ତୋଷ କୁମାର କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ଘଟଣା ପୁଣିଥରେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ତଥ୍ୟ ଓ ଫଟୋର ଅପବ୍ୟବହାର ଏବଂ ସାଇବର ବ୍ଲାକମେଲିଂର ବିପଦକୁ ସାମ୍ନାକୁ ଆଣିଛି।