ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରୁ ହିଁ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି। ଅନ୍ୟପଟେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଜବାବ ଦେବାକୁ ପ୍ରସ୍ତୁତ ଥିବା କହିଛି ଶାସକ ବିଜେପି।
ଗଞ୍ଜାମ ବନ୍ୟା ପରିଚାଳନା, କୋଟିଆ ସୀମା ବିବାଦ, ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ଏବଂ ଚାଷୀ ସମସ୍ୟାକୁ ନେଇ ଗୃହରେ ଜୋରଦାର ହଙ୍ଗାମା ହୋଇପାରେ। ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଗଞ୍ଜାମର ବନ୍ୟା ବିପର୍ଯ୍ୟୟ ରାଜ୍ୟ ସରକାରଙ୍କ ଅପାରଗତାର ଉଦାହରଣ ବୋଲି ନବୀନ କହିଛନ୍ତି। ଏବେ ବି ବନ୍ୟା ପ୍ରଭାବିତ ଲୋକେ ରିଲିଫ ସହାୟତା ପାଇବାକୁ ହଇରାଣ ହେଉଥିବା ବେଳେ ରାଜନୈତିକ ବାଛବିଚାର କରି ସହାୟତା ବଣ୍ଟନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ଏମ୍ଏମ୍ଡିଆର୍ ସଂଶୋଧନ ଦ୍ୱାରା ଓଡ଼ିଶାର ଆର୍ଥିକ ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ଅଭିଯୋଗ କରି ଏହା ବିରୋଧରେ ଲଢ଼େଇ ଜାରି ରଖିବାକୁ ବିଜେଡି ଘୋଷଣା କରିଛି। କୋଟିଆ ସୀମା ବିବାଦର ସମାଧାନ ଏବଂ ରାଜ୍ୟର ଅଖଣ୍ଡତା ସୁରକ୍ଷା ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ।
ଅନ୍ୟପଟେ ଧାନମଣ୍ଡି ଖୋଲିବାରେ ବିଳମ୍ବ, ଧାନ ସଂଗ୍ରହରେ ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ।
ଏହାରି ଭିତରେ ଆଜି ଗୃହରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।
ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଗାମୀ ଦିନରେ ଗୃହର ରାଜନୈତିକ ତାପମାତ୍ରା କେତେ ବଢ଼ୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।