NHAI New Toll System : ଟୋଲ୍‌ ଗେଟ୍‌ରେ ଅଟକିବନି ଗାଡ଼ି, ୫୩୮.୯୫ କୋଟି ରୋଜଗାର କଲା NHAI

ନୂଆଦିଲ୍ଲୀ: ଟୋଲ୍‌ ଆଦାୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଟୋଲ୍‌ ଗେଟ୍‌ରେ ଗାଡ଼ି ନ ଅଟକାଇ ଆଦାୟ ହେଉଛି ଟୋଲ୍‌ ଶୁଳ୍କ। ନୂଆ ମଲ୍ଟି ଲେନ୍‌ ଫ୍ରି ଫ୍ଲୋ (MLFF) ଟୋଲ୍‌ ବ୍ୟବସ୍ଥା ମାଧ୍ୟମରେ ୭ଟି ଟୋଲ୍‌ ପ୍ଲାଜାରୁ ୫୩୮.୯୫ କୋଟି ଟଙ୍କାର ଶୁଦ୍ଧ ରାଜସ୍ୱ ହାସଲ କରିଛି NHAI। ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜସ୍ୱ ଆଦାୟରେ ୧୯.୮୪ ପ୍ରତିଶତ ବୃଦ୍ଧି ଘଟିଛି।

ସରକାରୀ ତଥ୍ୟ ଅନୁଯାୟୀ, ଅକ୍ଟୋବର ୩୧, ୨୦୨୬ ସୁଦ୍ଧା ଏହି ୭ଟି ଟୋଲ୍‌ ପ୍ଲାଜାରୁ ୫୩୮.୯୫ କୋଟି ଟଙ୍କା ଆଦାୟ ହୋଇଛି। ପୂର୍ବ ବ୍ୟବସ୍ଥାରେ ସମାନ ଅବଧିରେ ୪୪୯.୭୨ କୋଟି ଟଙ୍କା ଆଦାୟ ହୋଇଥିଲା। ଅର୍ଥାତ୍‌ ନୂଆ ଟୋଲ୍‌ ବ୍ୟବସ୍ଥା ଦ୍ୱାରା NHAIକୁ ଅତିରିକ୍ତ ୮୯.୨୩ କୋଟି ଟଙ୍କାର ରାଜସ୍ୱ ମିଳିଛି।

ଦେଶରେ ପ୍ରଥମ ଥର ପାଇଁ ମେ’ ୧, ୨୦୨୬ରେ ଗୁଜରାଟର ଚୋରୟାସି ଟୋଲ୍‌ ପ୍ଲାଜାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ତାମିଲନାଡୁର ବିଭିନ୍ନ ଟୋଲ୍‌ ପ୍ଲାଜାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଦେଶର ୯ଟି ଟୋଲ୍‌ ପ୍ଲାଜାରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି।

ଏହି ନୂଆ ବ୍ୟବସ୍ଥାରେ ଅତ୍ୟାଧୁନିକ କ୍ୟାମେରା ଓ ଫାସ୍‌ଟ୍ୟାଗ୍‌ ଜରିଆରେ ଟୋଲ୍‌ ଶୁଳ୍କ ଆଦାୟ କରାଯାଉଛି। ଫଳରେ ଗାଡ଼ି ଚାଳକଙ୍କୁ ଟୋଲ୍‌ ପ୍ଲାଜାରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁନାହିଁ। ଯାତ୍ରା ସମୟ ହ୍ରାସ ପାଇବା ସହ ଇନ୍ଧନ ସଞ୍ଚୟ ଓ ପରିବେଶ ପ୍ରଦୂଷଣ କମାଇବାରେ ଏହି ବ୍ୟବସ୍ଥା ସହାୟକ ହେବ।

ଅନ୍ୟପଟେ ଟୋଲ୍‌ ଶୁଳ୍କ ଫାଙ୍କୁଥିବା ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି NHAI। ନମ୍ବର ପ୍ଲେଟ୍‌ ଲୁଚାଇ ଟୋଲ୍‌ ଶୁଳ୍କ ଫାଙ୍କୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏଆଇ ଟେକ୍ନୋଲୋଜି ଓ ବାହନ ଡାଟାବେସ୍‌ର ସହାୟତା ନିଆଯାଉଛି। ବକେୟା ଟୋଲ୍‌ ଶୁଳ୍କ ଆଦାୟ ପାଇଁ ଇ-ନୋଟିସ୍‌ ମଧ୍ୟ ଜାରି କରାଯାଉଛି।

ଏହି ନୂଆ ବ୍ୟବସ୍ଥାର ସଫଳତା ପରେ ଦେଶର ଅନ୍ୟ ଜାତୀୟ ରାଜପଥରେ ମଧ୍ୟ ବାରିଅର୍‌ଲେସ୍‌ ଟୋଲ୍‌ ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ NHAI ଯୋଜନା ରଖିଛି। ଏହାଦ୍ୱାରା ଯାତ୍ରୀଙ୍କ ଯାତାୟାତ ସୁଗମ ହେବା ସହ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।