କେରଳରେ ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ, ଖୋଜାଖୋଜିରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍

କେରଳର ମଲପ୍ପୁରମ ଜିଲ୍ଲାରେ ୨୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିବାରୁ ପାଣିରେ ବୁଡ଼ିଯିବା ଅତି କମରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମେ ୭ ତାରିଖ ପାଖାପାଖି ସନ୍ଧ୍ୟା ୭ଟା ସମୟରେ ତନ୍ନୁରର ତୁଭାଲ ତେରମ ପର୍ଯ୍ୟଟନ ସ୍ଥଳରେ ଏହି ଦୁର୍ଘଟଣା ଘଟିଛି । ଆଞ୍ଚଳିକ ଫାୟାର ରେଞ୍ଜ ଅଧିକାରୀ ସିଜୁ କେ.କେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୧ଟି ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଡଙ୍ଗାରେ କେତେଜଣ ବସିଥିଲେ ତାର ବାସ୍ତବ ସଂଖ୍ୟା ଜଣାପଡି ନାହିଁ । ତେଣୁ ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି ।

ଘଟଣା ଜଣାପଡିବା ମାତ୍ରେ ଅନେକ ଗାଡି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ମଧ୍ୟରାତ୍ରିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳିନ ବୈଠକ ଡାକି ଆହତଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଷ୍ଟମର୍ଟମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ସକାଳ ୬ଟାରୁ ବ୍ୟବଚ୍ଛେଦ ଆରମ୍ଭ କରିବାକୁ ମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

ରବିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଲପ୍ପୁରମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିବ ସହିତ ଉଦ୍ଧାର କାର୍ଯ୍ୟକୁ ପ୍ରଭାବଶାଳୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଏମ ପିନାରାଇ ବିଜୟନ କହିଛନ୍ତି, “ମଲପ୍ପୁରମରେ ତନୁର ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଦୁଃଖିତ । କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ବାରା ତଦାରଖ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଟ୍ବିଟ ମାଧ୍ୟମରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ।

ଏହି ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥିସହ ସେ ଟ୍ୱିଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ PMNRFରୁ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମଲାପୁରାମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟୁଇଟ୍ କରି କହିଛନ୍ତି, “କେରଳର ମଲାପ୍ପୁରମ ଡଙ୍ଗା ଦୁର୍ଘଟଣାରେ ଲୋକଙ୍କ ଦୁଃଖଦ ମୃତ୍ୟୁ ଅତ୍ୟନ୍ତ ଚକିତ କଲାଭଳି ଏବଂ ଦୁଃଖଦାୟକ । ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି । ଦୁର୍ଘଟଣାରେ ବର୍ତ୍ତିଯାଇଥିବା ଲୋକଙ୍କ ମଙ୍ଗଳ ପାଇଁ ମୁଁ ପ୍ରାର୍ଥନା କରୁଛି ।”

Leave a Reply

Your email address will not be published. Required fields are marked *