ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

NOHAN MAJHI NABIN PATNAIK
mohan majhi, nabin patnaik, odisha cm, bjp

ରାଜଧାନୀ ଭୁବନେଶ୍ୱରର ଗୋପବନ୍ଧୁ ଛକରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନବୀନ ନିବାସରେ ପହଞ୍ଚିଥିଲେ ମୋହନ ଚରଣ ମାଝୀ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବ ପାଇଂ ନିମନ୍ତ୍ରଣ କରିବାକୁ ନବୀନ ନିବାସରେ ପହଂଚିଥିଲେ ମୋହନ ମାଝୀ ।

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସମୟରେ ମୋହନଙ୍କ ସହ ଉପସ୍ଥିତ ଥିଲେ ୨ ଉପ-ମୁଖ୍ୟମନ୍ତ୍ରୀ — ପ୍ରଭାତି ପରିଡା ଏବଂ କେ.ଭି. ସିଂଦେଓ। ମାଲ୍ୟାର୍ପଣ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ କହିଛନ୍ତି, ଶପଥ ପାଠ ପରେ ୧୦୦ ଦିନର କାର୍ଯ୍ୟକ୍ରମ ବାବଦରେ ନୂଆ ସରକାର ଅବଗତ କରିବେ ଏବଂ ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ ତୁରନ୍ତ କାମ ଆରମ୍ଭ ହେବ ।

ମାଝୀ କହିଛନ୍ତି ଯେ, ସେ ଆଦିବାସୀ ବହୁଳ ଅଞ୍ଚଳରୁ ଆସିଛନ୍ତି ଓ ସେମାନଙ୍କର ଉନ୍ନତି ପାଇଁ ସେ ନିଶ୍ଚିୟ କାମ କରିବେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ବହୁତ କାମ ପଡ଼ିରହିବା ସହିତ ସେମାନଙ୍କ ଅଞ୍ଚଳର ମଧ୍ୟ ଅନେକ କାର୍ଯ୍ୟ ହୋଇପାରିନି। ତେଣୁ, ପଛୁଆ ଅଞ୍ଚଳରେ ବିକାଶ କିପରି ପହଂଚିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଗତ ସରକାରରେ ଏନେଇ ଚିନ୍ତା କରାଯାଇନଥିବାରୁ ଦଳର ଚିନ୍ତାଧାରାକୁ ନେଇ ଭାଜପା ସଂକଳ୍ପପତ୍ରରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ଯେପରିକି ସୁଭଦ୍ରା ଯୋଜନା, ଏମ ଏସ ପି (MSP) ବୃଦ୍ଧି ଆଦି ସମସ୍ତ କଥା ପୂରଣ କରାଯିବ। ଏବେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଆସିପାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସେ ଟେଲିଫୋନ ଯୋଗେ କଥା ହୋଇ ରାଜ୍ୟରେ ଆସନ୍ତା ୫୦ ବର୍ଷ ପାଇଁ କିପରି ବିକାଶମୂଳକ କାର୍ଯ୍ୟ ହେବ ଏବଂ ୨୪ ବର୍ଷରେ ଓଡ଼ିଶାରେ ହୋଇପାରି ନ ଥିବା କାର୍ଯ୍ୟ ୫ ବର୍ଷରେ କିପରି ହେବ, ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ମୋହନ କହିଛନ୍ତି।

Comments

Leave a Reply

Your email address will not be published. Required fields are marked *