ବିଧାୟକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କରୁଥିଲେ, ଧରିଲା ଅବକାରୀ ଗୁଇନ୍ଦା ବିଭାଗ

ନିଜକୁ ବିଧାୟକ ପରିଚୟ ଦେଇ ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ । ହେଲେ ଖବର ପାଇ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ।

ଏକ ଦାମୀ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚାଲାଣ ହେଉଛି । ଅବକାରୀ ବିଭାଗକୁ ସୂଚନା ମିଳିବା ପରେ ଧରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିଲେ ଅଧିକାରୀ । CH 01 AX 6990 ହୋଣ୍ଡା ସିଟି କାର୍ ଜବତ କରାଯାଇଥିଲା । ହେଲେ କାରରେ ବସିଥିବା ତାବ୍ରେଜ୍ ନିଜକୁ ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ପରିଚୟ ଦେଇଥିଲେ । ଅନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲା ।

ଅଧିକାରୀମାନେ କାର୍ ଜବତ କରି ଯାଞ୍ଚ କରିଥିଲେ । ଆଉ ସିକ୍ରେଟ ଚାମ୍ବର ଭିତରୁ ଯାହା ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସିକ୍ରେଟ ଚାମ୍ବରରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଗାଡ଼ିରେ ଥିବା ଦୁଇ ଜଣ ଅମଜାଦ ଓ ତାବ୍ରେଜକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନେ ଆନ୍ଧ୍ରରୁ ଉତ୍ତରପ୍ରଦେଶ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଡିଏସପି କହିଛନ୍ତି । ସେପଟେ, ପ୍ରଥମ ଥର ପାଇଁ ଏଭଳି ଚାଲାଣ କରୁଥିବା କହିଛନ୍ତି ଚାଲାଣକାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟତଃ ଗଞ୍ଜେଇ ଜବତ ହେଉଛି । ଏପରିକି କିଛି ଜିଲ୍ଲାରେ ଗଞ୍ଜେଇ ଚାଷ ପ୍ରବଳ ମାତ୍ରାରେ କରାଯାଉଛି । ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନିକ ଗଞ୍ଜେଇ ମଧ୍ୟ ଜବତ ହେଉଛି ।

Leave a Reply

Your email address will not be published. Required fields are marked *