
ଆଜି ହେଉଛି‘କାରଗିଲ ବିଜୟ ଦିବସ’। ଆଜିର ଦିନଟି ଭାରତ ପାଇଁ ଏକ ଐତିହାସିକ ଦିନ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲ୍ ମାଟିରେ ବିଜୟର ଧ୍ଵଜା ଉଡ଼ାଇଥିଲା ଭାରତ। କାରଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ୍ ଶହିଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଉର୍ଦ୍ଧ୍ବ ସୈନିକ । ଏହି କାରଗିଲ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ରାଜ୍ୟର ନବମ ଓ ଭଦ୍ରକ ଜିଲ୍ଲାର ଏକମାତ୍ର ଯବାନ ମାଟି ମାଆ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିଲେ ଭଦ୍ରକ ମାଟିର ପୁଅ ନିରଞ୍ଜନ ବେହେରା। ଚାନ୍ଦବାଲି ବ୍ଲକ ଉତୁକୁଡ଼ା ପଞ୍ଚାୟତ ପାଙ୍ଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସେହି ବୀର ଯବାନଙ୍କ ଗାଥାକୁ ଭୁଲିଗଲା ପ୍ରଶାସନ । ଆଜି ସହିଦ ନିରଞ୍ଜନ ବେହେରାଙ୍କ ସ୍ମୃତିପିଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି, ମିଳୁନି ସହିଦଙ୍କୁ ସମ୍ମାନ ।
ଦୀର୍ଘ ୨୧ବର୍ଷ ଧରି ପ୍ରଶାସନ ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଅଂଚଳବାସୀଙ୍କୁ ମର୍ମାହତ କରିଛି । ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ତତ୍କାଳୀନ ବିଧାୟକ ଓ ପ୍ରଶାସନ ଯେଉଁ ଭଳି ଭାବରେ ପାଳନ କରିଥିଲେ ତାହା ପର ବର୍ଷଠାରୁ ତାଙ୍କୁ ସେପରି ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ କିମ୍ବା ତାଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିସଭା ଟିଏ ମଧ୍ୟ ହୋଇ ପାରୁନାହିଁ । କେବଳ ପ୍ରଶାସନ ପକ୍ଷରୁ ସହିଦଙ୍କ ଶ୍ରାଦ୍ଧ ବାର୍ଷିକରେ ଫୁଲ ହାରଟିଏ ଦେଇ ସେତିକିରେ କାମ ସାରିଦିଏ ପ୍ରଶାସନ । ଶହୀଦ ନିରଞ୍ଜନ ତାଙ୍କ ନିଜସ୍ବ ଗ୍ରାମ ପାଙ୍ଗୁଡା ସ୍ଥିତ ଶହୀଦ ସ୍ମୃତି ସ୍ତମ୍ଭ ଏବଂ ଶହୀଦ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଶହୀଦଙ୍କ ସ୍ତମ୍ଭରେ ନୀରଞ୍ଜନଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମିତ ହୋଇପାରିଲା ନାହିଁ କେବଳ ସ୍ତୁତି ମାର୍ଗକୁ ନିରଞ୍ଜନ ମାର୍ଗ ବୋଲି ଦର୍ଶାଯାଇଛି । ଏବେ ସେହି ଶହୀଦ ସ୍ମୃତିପୀଠ ଚର୍ତୁପାର୍ଶ୍ଵରେ ବର୍ଷା ଦିନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଘେରି ରହିଛି । ଏଥିନେଇ ଚାନ୍ଦବାଲି ଅଞ୍ଚଳରୁ ବହୁ ବୁଦ୍ଧୀଜୀବୀ ଏହି ପିଠର ଭିତିଭୂମି ବିକାଶ କରିବା ସହ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ସ୍ମୃତି ସଭାଟିଏ କରିବାକୁ ଦାବୀ କରିଛନ୍ତି ।