ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର୍ ଧରିଛି । ୧୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲା ସାଂଗଠନିକ ସ୍ତରରେ ବଡ଼ ଝଟକା ମିଳିଛି । ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।

ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି ମଙ୍ଗଳ ସାହୁ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବାବେଳେ ମଧ୍ୟ ସେ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ । ଦୀର୍ଘ ୨୫ ବର୍ଷ ହେଲା ସେ ବିଜେପି ସହ ଥିଲେ । ବିଜେପି ସଂଗଠନ ମଜଭୁତ୍ କରିବାକୁ ଦିନରାତି ପରିଶ୍ରମ କରିଥିଲୁ । ହେଲେ ପୁରୁଣା ନୀତି, ଆଦର୍ଶ କିଛି ନାହିଁ । ଅଣଦେଖା ହୋଇ କ୍ଷୋଭ ସହ ଅଛୁ । ନବଦାସ ହତ୍ୟାର ତଦନ୍ତ ଦାବି କରୁଛୁ ବୋଲି କହିଲେ ମଙ୍ଗଳ ସାହୁ ।

ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳକୁ ମଜଭୁତ କରିବାକୁ ଏକାଠି କାମ କରିବେ ବୋଲି କହିଛନ୍ତି ମଙ୍ଗଳ ସାହୁ0 । ଆସନ୍ତା ଦିନରେ ବିଜେଡିରେ ଆହୁରି କିଛି କର୍ମୀ ଓ ନେତା ଯୋଗଦେବେ । ଏଥିରୁ ଦଳକୁ ବହୁତ ଫାଇଦା ମିଳିବ ବୋଲି କହିଛନ୍ତି ମଙ୍ଗଳ । ସେପଟେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥାନ୍ତି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ହେବାକୁ ଥିବାବେଳେ ଏବେଠୁ ଦଳଡିଆଁ ରୋଗ ଆରମ୍ଭ ହେଲାଣି । ଅସନ୍ତୁଷ୍ଟ ନେତା,କର୍ମୀ ନିଜ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି ।

ସେପଟେ,ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଝାରସୁଗୁଡ଼ା ଥାନା ଘେରାଉ କରିଥିଲେ ବିଜେପି କର୍ମୀ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । କଂଗ୍ରେସର ତରୁଣ ପାଣ୍ଡେ ଏବଂ ବିଜେଡିର ଦୀପାଳି ଦାସଙ୍କ ସମେତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରୁ କିଏ ଏହି ଆସନ ହାତେଇବ ତାକୁ ନେଇ ଜୋରଦାର ଅଙ୍କକଷା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *