ଜାତୀୟ ରାଜଧାନୀ ଦିଲ୍ଲୀ ରାସ୍ତାରେ ରବିବାର ରାତିରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ହୋସ ଉଡେଇ ଦେବ। ଜଣେ ବ୍ୟକ୍ତି ଏକ କାରର ବୋନେଟରେ ଲଟିକି ଥିବା ବେଳେ କାରଟି ତାଙ୍କୁ ତିନି କିମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ପୋଲିସ ମାମଲାରେ କାର ଚାଳକ ବିରୋଧରେ ମାମଲା ରୁଜୁ କରିଥିବା ବେଳେ କାର ବିହାରର ସାଂସଦ ଚନ୍ଦନ ସିଂହଙ୍କର ଥିବା ଜଣାପଡିଛି। ତେବେ ଏହି ସମୟରେ ସାଂସଦ କାରରେ ନ ଥିଲେ।
ପୋଲିସ ନିଜାମୁଦ୍ଦୀନ ଦରଗାହ ନିକଟରେ କାରକୁ ଅଟକାଇ ବନେଟରୁ ଚନ୍ଦନଙ୍କୁ ଉଦ୍ଧାର କରିବା ପରେ ତାଙ୍କଠାରୁ ଜାଣିବାକୁ ପାଇଥିଲା କି, ଡ୍ରାଇଭର ହୁଏତ ମଦ ପିଇଥିଲେ। ବାରମ୍ବାର ଚନ୍ଦନଙ୍କ କାରକୁ ସାଇଡ ମାରିଥିଲେ। ତେଣୁ ଚନ୍ଦନ ନିଜ କାରକୁ ଆଶ୍ରମ ଚୌକ ନିକଟରେ ରଖି ସେହି ମଦ୍ୟପ ଡ୍ରାଇଭରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଗାଡି ନ ଅଟକାଇ ଚନ୍ଦନଙ୍କ ଉପରକୁ ମଡାଇ ଦେବାକୁ ଚେଷ୍ଟା କରିଥିଲା। ଭୟରେ ଚନ୍ଦନ କାର ଉପରକୁ ଡେଇଁ ପଡିଥିଲେ ଓ ସୌଭାଗ୍ୟକୁ ବନେଟରେ ଆଟକି ଯାଇଥିଲେ।
ଗାଡି ଅଟକାଇବାକୁ ଚନ୍ଦନ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ଶୁଣି ନ ଥିଲା ମଦ୍ୟପ ଡ୍ରାଇଭର ଓ ସେହି ଅବସ୍ଥାରେ ଚନ୍ଦନଙ୍କୁ ଲଟକାଇ ନିଜାମୁଦ୍ଦୀନ ଆଡକୁ ଗାଡି ଛୁଟେଇଥିଲା। ରାସ୍ତାରେ ପୋଲିସ ଗାଡି ଏହା ଦେଖି କାରକୁ ଫଲୋ କରିବା ସହ ଅଟକାଇବାକୁ ହର୍ଣ୍ଣ ମାରିଥିଲେ ମଧ୍ୟ କାର ଅଟକି ନଥିଲା। ତେଣୁ କିଛି ବାଟ କାରକୁ ଫଲୋ କରି ନିଜାମୁଦ୍ଦୀନ ଦରଗାହ ନିକଟରେ ଅଟକା ଯାଇଥିଲା। କାର ନମ୍ବର ବିହାରରେ ପଞ୍ଜିକୃତ।