ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଲଘୁଚାପ କ୍ଷେତ୍ରକୁ ଅପେକ୍ଷା । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ଅଧିକ ଘନୀଭୂତ ହୋଇ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଅର୍ଥାତ ୮ ତାରିଖ ଶେଷ ସୁଦ୍ଧା ବାତ୍ୟାର ତୀବ୍ରତା ଏବଂ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି ।

ଯଦି ବାତ୍ୟା ଆସେ ତେବେ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନି । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶା ପ୍ରତି ସେମିତି କିଛି ବିପଦ ନାହିଁ । ଗତିବିଧି ଏବଂ ପ୍ରଭାବର ପୂର୍ବାନୁମାନ ସହ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସମସ୍ତ ଅପଡେଟ୍ ଖବର ଦିଆଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ ।

ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏଥିସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଛି । ୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇପାରେ । ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି ।

ସେପଟେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ, SRCଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକ କରିଛନ୍ତି । ଏଥିପାଇଁ ସମସ୍ତେ ସଜାଗ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *