ଝାଡ଼ଖଣ୍ଡ : ଗଞ୍ଜେଇ ଚାଲାଣର ନୂଆ ତରିକା ଦେଖି ପୋଲିସ ବି ତାଜୁବ୍। ଟ୍ରକ୍ ଭିତରେ ତିଆରି ହୋଇଥିଲା ଗୁପ୍ତ ଚାମ୍ବର। ଆଉ ସେହି ଗୁପ୍ତ ଚାମ୍ବର ଭିତରେ ଲୁଚାଇ ରଖାଯାଇଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ। ପୋଲିସ ଆଖିରେ ଧୂଳି ଦେଇ ଚୋରା ଚାଲାଣ ପାଇଁ ଚାଲିଥିଲା ବଡ଼ ଯୋଜନା। ହେଲେ ସବୁ ଯୋଜନାକୁ ପଣ୍ଡ କରିଦେଇଛି ଝାଡ଼ଖଣ୍ଡ ପୋଲିସ ଓ ରେଳବାଇ ସୁରକ୍ଷା ବଳ।
ଝାଡ଼ଖଣ୍ଡରେ ଦୁଇଟି ପୃଥକ ଅଭିଯାନରେ ମୋଟ ୪୪୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କା। ଏହି ଘଟଣାରେ ଚାରିଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଝାଡ଼ଖଣ୍ଡର ଗଢ଼ୱା ଜିଲ୍ଲାର କଲ୍ୟାଣପୁର ଓଭରବ୍ରିଜ୍ ନିକଟରେ ଏକ ସନ୍ଦିଗ୍ଧ କଣ୍ଟେନର ଟ୍ରକ୍ ଛିଡ଼ା ହୋଇଥିଲା। ଗୁପ୍ତ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଟ୍ରକ୍ର ତଲାସି ନେଇଥିଲା। ଯାଞ୍ଚ ସମୟରେ ଡ୍ରାଇଭର କ୍ୟାବିନ୍ ପଛରେ ଏକ ସ୍ୱତନ୍ତ୍ର ଗୁପ୍ତ ଚାମ୍ବର ଥିବା ଜଣାପଡ଼ିଥିଲା।
ପୋଲିସ କଟର୍ ମେସିନ୍ ସାହାଯ୍ୟରେ ଚାମ୍ବରକୁ କାଟିବା ପରେ ସେଥିରୁ ୪୨୬ଟି ପ୍ୟାକେଟ୍ରେ ଭର୍ତ୍ତି ୪୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହାର ମୂଲ୍ୟ ପ୍ରାୟ ୨ କୋଟି ୧୩ ଲକ୍ଷ ଟଙ୍କା। ତେବେ ଟ୍ରକ୍ ନିକଟରେ କେହି ନଥିବାରୁ ଏହି ମାମଲାରେ ତତ୍କାଳ କାହାକୁ ଗିରଫ କରାଯାଇପାରିନଥିଲା।
ଅନ୍ୟପଟେ ଟାଟିସିଲୱେ ରେଳ ଷ୍ଟେସନରେ ହଟିଆ-ଇସଲାମପୁର ଏକ୍ସପ୍ରେସ୍ର ଜେନେରାଲ୍ ବଗିରୁ ୧୫ କିଲୋଗ୍ରାମ ଗଞ୍ଜେଇ ସହ ଚାରିଜଣଙ୍କୁ ଗିରଫ କରିଛି RPF। ଜେରା ସମୟରେ ଅଭିଯୁକ୍ତମାନେ ଓଡ଼ିଶାର ବଲାଙ୍ଗୀରରୁ ଗଞ୍ଜେଇ କିଣି ବିହାରର ଚମ୍ପାରଣ ଅଞ୍ଚଳକୁ ନେଉଥିବା କହିଛନ୍ତି। ଗିରଫଙ୍କ ମଧ୍ୟରୁ ତିନିଜଣ ଉତ୍ତରପ୍ରଦେଶର ଏବଂ ଜଣେ ବିହାରର ବାସିନ୍ଦା।
ଏବେ ଗଞ୍ଜେଇ ଚୋରା ଚାଲାଣ ପଛରେ ଥିବା ବଡ଼ ନେଟୱର୍କର ଖିଅ ଖୋଜୁଛି ପୋଲିସ। କେଉଁଠୁ ଆସୁଥିଲା ଗଞ୍ଜେଇ, କିଏ ଥିଲା ଏହାର ମାଷ୍ଟରମାଇଣ୍ଡ ଓ କେଉଁଠାକୁ ଯାଉଥିଲା ଏତେ ବଡ଼ ଚାଲାଣ, ତାହାର ତଦନ୍ତ ଜାରି ରହିଛି।
ଗଞ୍ଜେଇ ଚାଲାଣ ପାଇଁ ଟ୍ରକ୍ରେ ଗୁପ୍ତ ଚାମ୍ବର, ଆଉ ଟ୍ରେନ୍ରେ ଚାଲିଥିଲା ନିଶା କାରବାର। ଝାଡ଼ଖଣ୍ଡରେ ଧରାପଡ଼ିଲା ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ବଡ଼ ଖେଳ।