
ଆର୍ଥିକ ଅନିୟମିତତାକୁ ନେଇ ଲୋକାୟୁକ୍ତଙ୍କ ତଦନ୍ତ । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଂଶଡା ଥାନା ଅଧିନ ବାଲିପଦା ଗ୍ରାମରେ ହୋଇଥିବା ”ମୋ ଉପକାରୀ ବଗିଚା”ରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ସେହି ପଞ୍ଚାୟତର ଶରତ ସେନାପତି ଲିଖିତ ଅଭିଯୋଗ କରିଥିଲେ । ସମସ୍ତ ତଥ୍ୟକୁ ଆଧାର କରି ଲୋକାୟୁକ୍ତଙ୍କ ପକ୍ଷରୁ ଡେପୁଟି ଡାଇରେକ୍ଟର ସସ୍ମିତା ଲେଙ୍କା ପହଞ୍ଚି ଏହି ଯୋଜନାରେ ହୋଇଥିବା ସମସ୍ତ ଅନିୟମିତତା ଉପରେ ତଦନ୍ତ କରିଥିଲେ ।
ଏହି ତଦନ୍ତ ସମୟରେ ଚାନ୍ଦବାଲି ବ୍ଲକର ପୂର୍ବତନ ବିଡିଓ ଜ୍ୟୋତିବିକାଶ ଦାସ ଅନୁପସ୍ଥିତ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ଚାନ୍ଦବାଲି ବ୍ଲକ ମନରେଗା ସହକାରୀ ସନ୍ତୋଷ କୁମାର ନାୟକ, ସହକାରୀ ଯନ୍ତ୍ରୀ ସ୍ମୃତିରଞ୍ଜନ ତରାଇ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ, ବିପିଏମ୍ ଷ୍ଟାଲିନ ନାୟକ, ଜିଆରଏସ ରୀତାରାଣୀ ମୁଦୁଲି, ପୂର୍ବତନ ଜିଆର୍ଏସ ପୁରୁଷୋତ୍ତମ ବାରିକ ଏବଂ ଗୋପିନାଥପୁର ପଞ୍ଚାୟତର ସରପଞ୍ଚ ବାପୁନ ବାରିକ ପ୍ରମୁଖ ସଂପୃକ୍ତ ସ୍ଥାନରେ ଉପସ୍ଥିତ ରହି ଲୋକାଯୁକ୍ତଙ୍କୁ ସହଯୋଗ କରିଥିଲେ ।