ଅସହ୍ୟ ଗୁଳୁଗୁଳି, ପ୍ରବଳ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା

ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ମୋକା ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଥିଲେ । ହେଲେ ଗତିପଥ ବଦଳାଇବାରୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିଲାନି । କିନ୍ତୁ ରାଜ୍ୟରେ ତାତି କମୁନି ବଢ଼ିବାରେ ଲାଗିଛି ଯାହାକୁ ନେଇ ଲୋକେ ଚିନ୍ତିତ ।

ରାଜ୍ୟରେ ତାପମାତ୍ରା ବଢୁଛି । ସକାଳୁ ସକାଳୁ ଟାଣ ଖରା ସହ ଅସହ୍ୟ ଗୁଳୁଗୁଳି ଲୋକଙ୍କ ପାଇଁ ଟେନସନର କାରଣ ପାଲଟିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଲୋକେ ଘରୁ ବାହାରିବା ପାଇଁ ଆଉ ମନ ବଳାଉନାହାଁନ୍ତି । ପୁଣି ଅଘୋଷିତ ବିଦ୍ୟୁତ୍ କାଟ୍ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଉଛି । ଗୁଳୁଗୁଳି ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ ଟେନସନକୁ ଦ୍ୱିଗୁଣିତ କରିଛି ।

ସେପଟେ, ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିଛି । ପଶ୍ଚିମ ଓଡ଼ିଶାରେ ୪୪ ଡିଗ୍ରୀ ଉପରେ ରହୁଛି ତାତି । ଆସନ୍ତା ୩ ଦିନ ଯାଏ ଖରା ଅସମ୍ଭାଳ ହେବ । ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସୂଚନା ମିଳିଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି । ଖରା ସହିତ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି । ପିକ୍ ଆୱାର ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେପଟେ, ଉପକୂଳ ଓଡ଼ିଶାକୁ ମିଳିଛି ସମାନ୍ୟ ଆଶ୍ବସ୍ତି ମିଳିଛି । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।

ଉପକୂଳ ଓଡ଼ିଶାରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମ୍ ରହିଛି । କିନ୍ତୁ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଏହି ଅଞ୍ଚଳରେ ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ସୋନପୁର ଓ ଅନୁଗୁଳରେ ସର୍ବାଧିକ ୪୪.୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆସନ୍ତା କିଛି ଦିନ ଯାଏ ତାପମାତ୍ରା ବଢ଼ିବ, ଗୁଳୁଗୁଳି ହେବ । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *