ହୋଲିରେ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ, ବିପୁଳ ମଦ ଜବତ, ଦୁଇ ଗିରଫ

ରଙ୍ଗର ପର୍ବ ଦୋଳ ପୂର୍ଣିମା ଓ ହୋଲିରେ କେନ୍ଦ୍ରାପଡ଼ା ପ୍ରଶାସନଙ୍କ କଡ୍ଡା ଆଭିମୁଖ୍ୟ ପାଇଁ ଚୋରା ମଦ କାରବାର ଉପରେ ଲାଗିଲା ଲଗାମ। କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଓ ଚାନ୍ଦୋଳ ଫାଣ୍ଡି ପୋଲିସ ମିଳିତ ଚଢ଼ାଉ କରି ଡେରାବିଶ ବ୍ଲକରେ ଇନ୍ଦାଳ ଓ ହରିଅଙ୍କ ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ କରିବାରେ ସକ୍ଷମ ହୋଇଥିଲା,ଯାହାର ଆନୁମାନିକ ମୂଲ୍ୟ ଦଶ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ରଙ୍ଗର ପର୍ବ ସହ ଗତ କିଛି ବର୍ଷ ହେବ ନାଲିପାଣି ଯୋଡି ହୋଇ ଯାଇଛି।

ଫଳରେ ନିଶାସକ୍ତ ଅବସ୍ଥାରେ ଏହି ପବିତ୍ର ପର୍ବ କାଳରେ ବିଭିନ୍ନ ସ୍ଥାନରେ ହେଉଛି ଅପରାଧ। ତେଣୁ ହୋଲିକୁ ଡ୍ରାଏ ଡେ ଘୋଷଣା କରିଛନ୍ତି ସରକାର। କିନ୍ତୁ ଅସାଧୁ ବ୍ୟବସାୟୀ ଘର ସହ ବିଭିନ୍ନ ସ୍ଥାନରେ ମଦ ଗଚ୍ଛିତ ରଖି ଚୋରାରେ ବିକ୍ରି କରୁଛନ୍ତି। ତେଣୁ କେନ୍ଦ୍ରାପଡା ପୋଲିସ, ପ୍ରଶାସନ ସଜାଗ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଳାଇଥିଲା ଚଢାଉ। ଏହି ଚଢାଉରେ ହରିଅଙ୍କର ଜଣେ ଚୋରା ମଦ ବ୍ୟବସାୟୀଙ୍କ ଘରୁ ଏକା ବେଳକେ ଏକାଅଶୀ ପେଟି ମଦ ଜବତ କରାଯାଇଛି। ଫାଣ୍ଡିବର ଅଞ୍ଚଳରେ ଚାଲିଥିବା ଚୋରା ମଦ ବ୍ୟବସାୟ ଉପରେ ମଧ୍ୟ ରୋକ ଲଗେଇ ସକାଳୁ ସେଠାରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାରେ ମଦ ଜବତ କରିଥିଲା ପୋଲିସ।

ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି ୨୩୬ ଲିଟର ଚୋରା ମଦ ଜବତ କରାଯାଇଛି। ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଦୋଳ ପୁର୍ଣିମା ଓ ହୋଲି ଅବସରରେ ହରିଅଙ୍କ ମେଳଣ ସମେତ ବିଭିନ୍ନ ମେଳଣରେ ଜନ ଗହଳିକୁ ଟାର୍ଗେଟରେ ରଖି ଏତେ ପରିମାଣର ମଦ ରଖି ବିକ୍ରି ପାଇଁ ଚେଷ୍ଟା କରାଯାଉଥିବା ବେଳେ ପୋଲିସ ସବୁ ଉଦ୍ୟମକୁ ପଣ୍ଡ କରି ଦେଇଛି।

Leave a Reply

Your email address will not be published. Required fields are marked *