FSSAI Action : ବିସଲେରି ସମେତ ୫ ଖାଦ୍ୟ କମ୍ପାନୀ ବିରୋଧରେ ବଡ଼ ଆକ୍ସନ, ପାଣି ନମୁନା ଅସୁରକ୍ଷିତ ଥିବା ଜଣାପଡ଼ିବା ପରେ FSSAIର କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ପ୍ୟାକେଜ୍‌ଡ ପାନୀୟ ଜଳ କମ୍ପାନୀ ବିସଲେରିକୁ ବଡ଼ ଝଟକା। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିସଲେରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ସମେତ ୫ଟି ଖାଦ୍ୟ ବ୍ୟବସାୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ଦେଇଛି। ଖାଦ୍ୟ ସାମଗ୍ରୀର ନମୁନା ପରୀକ୍ଷା ବେଳେ ସୁରକ୍ଷା ଓ ଗୁଣବତ୍ତା ସମ୍ବନ୍ଧୀୟ ମାନଦଣ୍ଡ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିସଲେରି କମ୍ପାନୀର ପ୍ୟାକେଜ୍‌ଡ ପାନୀୟ ଜଳର ଏକ ନମୁନା ଯାଞ୍ଚ କରାଯାଇଥିଲା। ପରୀକ୍ଷା ସମୟରେ ପାଣିରେ ବ୍ରୋମେଟ୍ ନାମକ ରାସାୟନିକ ପଦାର୍ଥର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ଜଣାପଡ଼ିଥିଲା। ଏହାପରେ ସମ୍ପୃକ୍ତ ନମୁନାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦିଆଯାଇଛି।

ଅନ୍ୟପଟେ କେବଳ ବିସଲେରି ନୁହେଁ, ଅନ୍ୟ ଚାରିଟି ଖାଦ୍ୟ ବ୍ୟବସାୟ ମଧ୍ୟ FSSAIର ନଜରକୁ ଆସିଛନ୍ତି। ଖାଦ୍ୟର ଗୁଣବତ୍ତା, ନିରାପତ୍ତା ଓ ନିୟମ ପାଳନରେ ତ୍ରୁଟି ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ ଦିଆଯାଇଛି।

ଅନ୍ୟ ଚାରିଟି ସଂସ୍ଥା ହେଲେ ବସନ୍ତ ମସଲା, ଟିଟ୍-ବିଟ୍ ଫୁଡ୍ସ, ମୀମାଂସା ଇଣ୍ଡଷ୍ଟ୍ରିଜ୍ ଏବଂ ଆଶା କନଫେକ୍ସନେରୀ। କେତେକ ମସଲା ନମୁନାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୀଟନାଶକ ଅବଶେଷ ମିଳିଥିବା ବେଳେ ଆଶା କନଫେକ୍ସନେରୀର ଚକୋଲେଟ୍ ଭର୍ତ୍ତି କୁକିଜ୍‌କୁ ବଜାରରୁ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣା ପରେ ବିସଲେରି ପକ୍ଷରୁ ପାନୀୟ ଜଳର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା କୁହାଯାଇଛି। ଏଥିସହ ନିୟାମକ ସଂସ୍ଥାକୁ ତଦନ୍ତ ଓ ଆଇନଗତ ପ୍ରକ୍ରିୟାରେ ସହଯୋଗ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ଦେଶରେ ପ୍ୟାକେଜ୍‌ଡ ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀର ଗୁଣବତ୍ତାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।