‘ଦାନ୍ତେୱାଡା ଘଟଣା ପରେ ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ହାଇ ଆଲର୍ଟ ଜାରି’

ଛତିଶଗଡ଼ର ଦାନ୍ତେୱାଡାରେ ଗତ ସପ୍ତାହରେ ହୋଇଥିବା ମାଓ ଆକ୍ରମଣ ପରେ ରାଜ୍ୟ ସରକାର ସମସ୍ତ ସୀମାନ୍ତକୁ ହାଇ ଆଲର୍ଟରେ ରଖିଛନ୍ତି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର ସୀମାନ୍ତ ଇଲାକାକୁ  ପୂର୍ବରୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିକୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି (ଅପରେସନ) ଅମିତାଭ ଠାକୁର।

ସେ ଆହୁରି କହିଛନ୍ତି କି, ଆମ ରାଜ୍ୟକୁ 90 ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି । ତେଣୁ ଛତିଶଗଡ ସୀମାନ୍ତ ଉପରେ ତୀକ୍ଷ୍ନ ନଜର ରହିଛି। ଦାନ୍ତେୱାଡା ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନ ଆସିବେ ସେ ନେଇ ଛତିଶଗଡ ସୀମାନ୍ତବର୍ତ୍ତୀ ସମସ୍ତ ଜିଲ୍ଲାର ସଂଯୋଗ ପଥକୁ ସିଲ କରି ଦିଆଯାଇଛି । ଏଥିସହ ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ନିୟମିତ ଭିଡିଓ କନ୍ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି ।

ଠାକୁର ମାଓ ସଂଗଠନରେ ଥିବା ମହିଳା ମାଓବାଦୀଙ୍କ ଯୌନ ଶୋଷଣକୁ ନେଇ କହିଛନ୍ତି କି, ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ମାଓ କ୍ୟାମ୍ପରେ ସେମାନଙ୍କ ସହ ହେଉଥିବା ଯୌନ ଶୋଷଣର କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରାଯାଉଛି ।

Leave a Reply

Your email address will not be published. Required fields are marked *